ଶୀତରେ ସାଂଘାତିକ ହେବ ସ୍ଥିତି । ଫେବ୍ରୁଆରୀ ପରଠାରୁ ଦେଶରେ ଦିନକୁ ପାଖାପାଖି ୩ ଲକ୍ଷ ଲୋକ କରୋନାରେ ହେବେ ଆକ୍ରାନ୍ତ, ପୂରା ବିଶ୍ୱରେ ୨୦ରୁ ୬୦ କୋଟିରେ ପହଞ୍ଚିବ ଆକ୍ରାନ୍ତଙ୍କ ସଂଖ୍ୟା । ଏମଆଇଟି ଗବେଷଣାରୁ ଆସିଲା ବଡ ଖବର । 

1,589

କନକ ବ୍ୟୁରୋ : ପୂରା ବିଶ୍ୱରେ କରୋନା କାୟା ମେଲାଇଥିବା ବେଳେ କେବେ ଏହାର ଭ୍ୟାକସିନ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ଯଦି ଆଗାମୀ ବର୍ଷ ଆରମ୍ଭ ସୁଦ୍ଧା ଭ୍ୟାକସିନ ନ ଆସେ ତେବେ ଆଗକୁ ସାଂଘାତିକ ସ୍ଥିତି ଉପୁଜିପାରେ । ଆଉ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇପାରେ ଭାରତ । ମେସାଚ୍ୟୁସେଟସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏମଆଇଟିର ଗବେଷକଙ୍କ ଅନୁଯାୟୀ, ଭ୍ୟାକସିନ ବାହାରିବାରେ ବିଳମ୍ବ ହେଲେ ୨୦୨୧ ଫେବ୍ରୁଆରୀ ଠାରୁ ଭାରତରେ ପ୍ରତ୍ୟେକ ଦିନ ୨.୮୭ ନୂଆ କରୋନା କେସ୍ ସାମ୍ନାକୁ ଆସିପାରେ । ୮୪ଟି ଦେଶର ଟେଷ୍ଟିଂ ଓ ଆକ୍ରାନ୍ତଙ୍କ ତଥ୍ୟକୁ ଆଧାର କରି ଏଭଳି କୁହାଯାଇଛି ।

ଷ୍ଟାଣ୍ଡାର୍ଡ ମ୍ୟାଥମେଟିକାଲ ମଡେଲକୁ ଆଧାର କରି ଏଭଳି ତଥ୍ୟ ଗବେଷକ ମାନେ ଦେଇଛନ୍ତି । ଯଦି କୌଣସି ଔଷଧ ନ ବାହାରେ ତେବେ ପୂରା ବିଶ୍ୱରେ ୨୦୨୧ (ମାର୍ଚ୍ଚରୁ ମେ) ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ୬୦ କୋଟି ମଧ୍ୟରେ ପହଞ୍ଚିପାରେ । ସେହି ସମୟରେ ଭାରତରେ ସବୁଠୁ ଅଧିକ ସଂକ୍ରମଣ ଦେଖିବାକୁ ମିଳିପାରେ । କେବଳ ଭାରତ ନୁହେଁ ଆମେରିକା, ଦକ୍ଷିଣ ଆଫ୍ରିକା ଓ ଇରାନରେ ମଧ୍ୟ ଦୈନିକ ଯଥାକ୍ରମେ ୯୫ ହଜାର, ୨୧ ହଜାର ଓ ୧୭ ହଜାର ନୂଆ କେସ୍ ସାମ୍ନାକୁ ଆସିପାରେ ।

ଏହି ଗବେଷଣାରେ ୩ଟି ଦିଗ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଥମତଃ ଟେଷ୍ଟିଂ ଓ ଏହାର ପ୍ରଭାବ, ଦ୍ୱିତୀୟରେ ଜୁଲାଇ ପହିଲାରୁ ଟେଷ୍ଟିଂ ରେଟ ୦.୧ ପ୍ରତିଶତ ବୃଦ୍ଧି ହେଉଛି କି ନାହିଁ, ତୃତୀୟରେ ଯଦି ପୂର୍ବଭଳି ଟେଷ୍ଟିଂ ଜାରି ରୁହେ ଓ ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ୮ ଜଣ ସଂକ୍ରମିତ ହୋଇଥାନ୍ତି ।  ଏହି ୩ ଦିଗକୁ ଦୃ୍ଷ୍ଟିରେ ରଖି ଗବେଷଣା କରିଥିଲା ଏମଆଇଟିର ୩ ଜଣିଆ ଟିମ୍ । ପ୍ରଥମ ଦିଗ ଅନୁଯାୟୀ, ୮୪ ଦେଶରେ ପାଖାପାଖି ୧.୫୫ ବିଲିୟନରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିପାରେ । ସେହିଭଳି ଯଦି ଦୈନିକ ୦.୧ ଟେଷ୍ଟିଂ ବଢେ ତେବେ ଏହି ମାମଲା ୧.୩୭ ବିଲିୟନକୁ ଖସି ଆସିବ । ଏହାବାଦ୍ ଟେଷ୍ଟିଂ ହାର ସମାନ ରହିବା ଓ ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟ ରେଟ ୮ ଜଣଙ୍କ ମଧ୍ୟରେ ସୀମିତ ରହିଲେ ଦ୍ରୁତ ଗତିରେ ମାଡୁଥିବା କରୋନାରେ ଟିକିଏ ବ୍ରେକ୍ ଲାଗିପାରେ । ତେବେ କରୋନା ମହାମାରୀକୁ ମାତ୍ ଦେବାକୁ ହେଲେ ସାମାଜିକ ଦୂରତା ସବୁଠୁ ବଡ ଅସ୍ତ୍ର ବୋଲି ରିପୋର୍ଟରେ କୁହାଯାଇଛି ।

ଏମଆଇଟିର ଏହି ଗବେଷଣାରେ କୁହାଯାଇଛି ଯେ, ବିଶ୍ୱସ୍ତରରେ ପଜିଟିଭ ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ଦର୍ଶାଯାଉଛି ।  ଏମଆଇଟିର ଆକଳନ ଅନୁଯାୟୀ, ୧୮ ଜୁନ୍ ୨୦୨୦ ସୁଦ୍ଧା ପୂରା ବିଶ୍ୱରେ ୮.୮୫ କୋଟି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ହପିକିଙ୍ଗସ୍ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ୧୮ ଜୁନ୍ ୨୦୨୦ ସୁଦ୍ଧା ବିଶ୍ୱରେ ୮୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ସାଢେ ୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏସବୁ ଭିତରେ । ସରକାର ଅଧିକରୁ ଅଧିକ ଟେଷ୍ଟିଂ ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଲେ କରୋନା ବୃଦ୍ଧିର ଗ୍ରାଫରେ ବ୍ରେକ ଲାଗିବ ।