ମିସ୍ ୱାର୍ଲ୍ଡ ମୁକୁଟ ବିଜୟୀ ପାଇଁ ଚମତ୍କାର ଉତ୍ତର ଦେଇଥିଲେ ମାନୁଷୀ ଚିଲ୍ଲାର : କହିଥିଲେ, ସମ୍ମାନ ଓ ଶ୍ରଦ୍ଧା ପାଇବା ପାଇଁ ସବୁଠୁ ଯୋଗ୍ୟ ମାଆ

54

କନକ ବ୍ୟୁରୋ : ଏ ହେଉଛି ଐତିହାସିକ ମୁହୂର୍ତ୍ତ ଯାହା ଭାରତୀୟଙ୍କୁ ଗର୍ବିତ କରିଛି । ୧୭ ବର୍ଷ ପରେ ଭାରତକୁ ଫେରିଛି ବିଶ୍ୱ ସୁନ୍ଦରୀ ମୁକୁଟ । ବିଶ୍ୱର ୧୧୮ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ହରିଆଣାର ଡାକ୍ତରୀ ଛାତ୍ରୀ ମାନୁଷୀ ଚିଲ୍ଲାର ଜିତିଛନ୍ତି ମିସ୍ ୱାଲ୍ଡ ଟାଇଟଲ । କେବଳ ସୌନ୍ଦର୍ଯ୍ୟରେ ନୁହେଁ ନିଜର ବୁଦ୍ଧିମତା ପାଇଁ ମାନୁଷୀ ଜିତିଥିଲେ ଜୁରୀଙ୍କ ହୃଦୟ । ଫାଇନାଲ ରାଉଣ୍ଡରେ ତାଙ୍କ ପାଇଁ ପ୍ରଶ୍ନ ଥିଲା କେଉଁ ବୃତ୍ତି ପାଇଁ ସବୁଠୁ ଅଧିକ ଦରମା ମିଳିବା ଉଚିତ? ଉତ୍ତରରେ ମାନୁଷୀ କହିଥିଲେ –
“..ମୋ ମାଆଙ୍କ ସହ ମୁଁ ବହୁତ ଘନିଷ୍ଠ । ତେଣୁ ମୁଁ ଭାବୁଛି, ମାଆ ହିଁ ସବୁଠୁ ଅଧିକ ସମ୍ମାନ ପାଇବାକୁ ଯୋଗ୍ୟ । ସବୁଠୁ ଅଧିକ ଦରମା ବାବଦରେ ଯେତେବେଳେ କଥା ହେଉଛୁ, ମୁଁ ଭାବୁନାହିଁ ଏହା କେବଳ ଟଙ୍କାର କଥା । କିନ୍ତୁ ମୁଁ ଅନୁଭବ କରୁଛି, ମାଆଙ୍କ ଠାରୁ ମୁଁ ସବୁଠାରୁ ଅଧିକ ସ୍ନେହ, ଶ୍ରଦ୍ଧା ପାଇଛି । ମୋ ମାଆ ହିଁ ମୋ ଜୀବନର ସବୁଠୁ ବଡ଼ ପ୍ରେରଣା । ଏବଂ ସମସ୍ତ ମାଆ ତାଙ୍କ ପିଲାଙ୍କ ପାଇଁ ବହୁତ କିଛି ତ୍ୟାଗ କରିଥାନ୍ତି । ତେଣୁ ମୋ ମତରେ ସବୁଠୁ ଅଧିକ ଦରମା, ସବୁଠୁ ଅଧିକ ସମ୍ମାନ ଓ ଭଲ ପାଇବା ମାଆଙ୍କୁ ଦିଆଯିବା ଉଚିତ ।..”

ମାନୁଷୀଙ୍କ ଉତ୍ତରରେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଦର୍ଶକ । ତାଙ୍କର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ୧୭ ବର୍ଷ ତଳେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଟାଇଟଲ ହାସଲ କରିଥିଲେ । ଫାଇନାଲ ରାଉଣ୍ଡରେ ତାଙ୍କୁ ପଚରା ଯାଇଥିଲା ଯେ ବିଶ୍ୱର କେଉଁ ସଫଳ ମହିଳାଙ୍କୁ ଆପଣ ସବୁଠାରୁ ଅଧିକ ସମ୍ମାନ ଦିଅନ୍ତି? ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ପ୍ରିୟଙ୍କା-
“..ଅନେକ ମହିଳାଙ୍କୁ ମୁଁ ସମ୍ମାନ ଦେଇଥାଏ । ମୁଁ ଭାବୁଛି ସେମାନଙ୍କୁ ମଧ୍ୟରୁ ଜଣେ ସଫଳ ମହିଳା, ଯିଏ କେବଳ ନିଜ ପାଇଁ କାର୍ଯ୍ୟ କରିନାହାନ୍ତି, ପୂରା ମାନବ ସମାଜ ପାଇଁ ତାଙ୍କର ଅବଦାନ ରହିଛି । ସେ ହେଉଛନ୍ତି ମଦର ଟେରେସା । ମୁଁ ତାଙ୍କୁ ମୋ ହୃଦୟରୁ ସମ୍ମାନ ଦିଏ । ତାଙ୍କର ସମ୍ବେଦନଶୀଳତା, ଦୟାଳୁ ଓ ପରୋପକାର ମନୋଭାବ ଏବଂ ନିସ୍ୱାର୍ଥପର ସେବା ମୋତେ ଆକୃଷ୍ଟ କରେ । ସେ ତାଙ୍କର ସବୁକିଛି ଦେଇ ଭାରତର ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇଛନ୍ତି । ତେଣୁ ମୁଁ ତାଙ୍କୁ ସମ୍ମାନ ଦିଏ ।..”

ସେହିପରି ୧୯୯୪ରେ ବିଶ୍ୱ ସୁନ୍ଦରୀ ମୁକୁଟ ମିଳିଥିଲା ଐଶ୍ୱର୍ଯ୍ୟ ରାୟଙ୍କୁ । ତାଙ୍କୁ ଜୁରୀଙ୍କ ପ୍ରଶ୍ନ ଥିଲା, କିଏ ବିଶ୍ୱ ସୁନ୍ଦରୀ ହେବାକୁ ଯୋଗ୍ୟ? ଏହି ପ୍ରଶ୍ନର କ’ଣ ଥିଲା ଐଶ୍ୱର୍ଯ୍ୟଙ୍କ ଉତ୍ତର ଦେଇଥିଲେ –
“..ଦୁନିଆର ବଦଳୁଥିବା ଘଟଣା ପ୍ରତି ସଚେତନ ଥିବ । ଅବହେଳିତ ଲୋକଙ୍କ ପାଇଁ ଦୟା ମନୋଭାବ ରହିଥିବ । ସମାଜ ସୃଷ୍ଟି କରିଥିବା ସୀମାରେଖା ବାହାରେ ଚିନ୍ତା କରୁଥିବ । ମାନବ ସମାଜ ପ୍ରତି ସମ୍ବେଦନଶୀଳ ହୋଇଥିବ । ଦେଶ, ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଦୃଷ୍ଟିରେ ଦେଖୁଥିବ । ସେ ହିଁ ପ୍ରକୃତ ମଣିଷ । ଆଉ ବିଶ୍ୱ ସୁନ୍ଦରୀ ଦେବାକୁ ସେ ହିଁ ଯୋଗ୍ୟ ।..”

ଭାରତକୁ ମୋଟ ୬ ଥର ମିଳିଛି ବିଶ୍ୱ ସୁନ୍ଦରୀ ମୁକୁଟ । ୨୦୦୦ ମସିହା ପରେ ପୁଣି ଜଣେ ଭାରତୀୟ ଝିଅ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟିନୀ ହେବା ସାରା ଦେଶବାସୀଙ୍କୁ ଗର୍ବିତ ।