କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ବସୁଧା ଯୋଜନାରେ ଅନେକ ତ୍ରୁଟି ଦେଖିବାକୁ ମିଳୁଛି । ଅନେକ ପଂଚାୟତରେ ମାଳମାଳ ଓଭରହେଡ ଟ୍ୟାଙ୍କି କରାଯାଇଛି । କିନ୍ତୁ ସବୁ ଲୋକଙ୍କ ଶୋଷ ମେଂଟୁନାହିଁ । ସମସ୍ତଙ୍କ ପାଖରେ ପିଇବା ପାଣି ପହଂଚିପାରୁନାହିଁ । ଅସ୍ତରଙ୍ଗ କେନ୍ଦ୍ରାପଟି ପଂଚାୟତର ଲୋକସଂଖ୍ୟା ୫ ହଜାରରୁ ଅଧିକ । ଏଠାରେ ୩ଟି ଓଭରହେଡ ଟାଙ୍କି ମାଧ୍ୟମରେ ଜଳ ଯୋଗାଣ ହେଉଛି । କିନ୍ତୁ ଲୋକେ ସଠିକ୍ ଭାବେ ପାଣି ପାଉନାହାନ୍ତି । ନିମ୍ନମାନର କାମ ଯୋଗୁଁ ପାଇପ୍ ଫାଟି ଗାଁ ଦାଣ୍ଡରେ ପାଣି ଭାସୁଛି, ଚାଷ ଜମିରେ ଷ୍ଟାଂଡ ପୋଷ୍ଟ ହୋଇଛି । ତେଣେ ଲୋକମାନେ ପାଣି ପାଇଁ ଡହଳବିକଳ ହେଉଛନ୍ତି ।

Advertisment

ଖାଲି ସେତିକି ନୁହେଁ, ପାଇପ୍ ଫାଟିବା ସହ ଷ୍ଟାଂଡ ପୋଷ୍ଟ ଗୁଡିକ ମଧ୍ୟ ଭାଙ୍ଗିଯାଇଛି । ଠିକାଦାର ନିମ୍ନମାନର ଷ୍ଟାଂଡ ପୋଷ୍ଟ ଓ ଟ୍ୟାପ୍ ଲଗାଇ ମୋଟା ଅଙ୍କର ବିଲ କରି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକମାନେ ଠିକ୍ ଭାବରେ ପାଇପ ପାଣି ପାଉନଥିବା ବେଳେ କେନ୍ଦ୍ରପଟି ପଂଚାୟତ ପମ୍ପ ହାଉସରେ କାମ କରୁଥିବା କର୍ମଚାରୀ ୨ ବର୍ଷ ହେବ ଦରମା ପାଇନଥିବା ଅଭିଯୋଗ କରିଛନ୍ତି ।

କେବଳ କେନ୍ଦ୍ରାପଟି ପଂଚାୟତ ନୁହେଁ, ଏଭଳି ଅନେକ ପଂଚାୟତରେ ବସୁଧା ଯୋଜନାରେ ତ୍ରୁଟି ଦେଖିବାକୁ ମିଳିଛି । ପାଣି ବାବଦରେ ପଂଚାୟତକୁ ଆସୁଥିବା ଲକ୍ଷାଧିକ ଟଙ୍କାକୁ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ହଡପ କରୁଥିବା ଅଭିଯୋଗ ହୋଇଛି ।