ସମ୍ବଲପୁରର ‘ମିଶନ ଜିରୋ ଏଫ୍’ । ଗାଁ ଓ କଲ୍ୟାଣ ମଣ୍ଡପରେ ସ୍ଥାନ ଚିହ୍ନଟ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

278

କନକ ବ୍ୟୁରୋ : ଆଗକୁ ଦଶମ ପରୀକ୍ଷା । ଚଳିତ ଶିକ୍ଷା ବର୍ଷରେ ଏଯାଏଁ ଗୋଟିଏ ଦିନ ବି ସ୍କୁଲ ଖୋଲି ନାହିଁ । ମହାମାରୀ ଭୟରେ ବିଦ୍ୟାଳୟକୁ ସରକାର ବନ୍ଦ ରଖିଛନ୍ତି । ଅନଲାଇନ୍ରେ ପାଠପଢା ଚାଲିଥିବା ବେଳେ ଅଫଲାଇନ୍ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଇବା ପାଇଁ ସରକାର ମନସ୍ତ କରିଛନ୍ତି । ଆଉ ଏତିକି ବେଳେ ସମ୍ବଲପୁରରେ ଆରମ୍ଭ ହୋଇଛି ‘ମିଶନ ଜିରୋ ଏଫ’ । ପାଠରେ ଟିକେ ଦୁର୍ବଳ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ମିଶନରେ ସାମିଲ କରି ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ଅନଲାଇନ୍ରେ ପାଠପଢା ଚାଲିଥିବା ବେଳେ ଅଫଲାଇନ୍ରେ ହେବ ଦଶମ ବୋର୍ଡ ପରୀକ୍ଷା । ଆଉ ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ରେଜଲ୍ଟ କରିବା ପାଇଁ ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗର ଅଭିନବ ପ୍ରୟାସ । କୌଣସି ଛାତ୍ର କି ଛାତ୍ରୀ ଯେମିତି ଏଫ୍ ଗ୍ରେଡ ନପାଆନ୍ତି ସେଥିପାଇଁ ଆରମ୍ଭ ହୋଇଛି ମିଶନ ଜିରୋ ଏଫ । ଜିଲ୍ଲାର ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ପାଠ ପଢାଯାଉଛି । ବିଭିନ୍ନ କଲ୍ୟାଣ ମଣ୍ଡପ, ପଂଚାୟତ ହଲ ହେଉ ବା ଅନ୍ୟ କୌଣସି ନିରାପଦ ସ୍ଥାନରେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ବ୍ଲକର ୧୯୬ଟି ବିଦ୍ୟାଳୟର ୨୧୬୫ ଜଣ ଛାତ୍ରଛାତ୍ରୀଙ୍କୁ ‘ମିଶନ ଜିରୋ ଏଫ୍’ରେ ସାମିଲ କରାଯାଇଛି । ପାଠପଢା ପାଇଁ ଉପଯୋଗୀ ସ୍ଥାନରେ ପିଲାଙ୍କୁ ବସାଇ କୌଣସି ବିଷୟରେ ପାଠ ପଢାଇବା ପରେ ୩୦ ମିନିଟ୍ ଲେଖିବାକୁ ଦିଆଯାଉଛି । ଏବଂ ୧୫ ମିନିଟ୍ ପରୀକ୍ଷା ଦେଉଛନ୍ତି ଛାତ୍ରଛାତୀ । ପରୀକ୍ଷା ପାଇଁ ଗତ ୧୦ ବର୍ଷର ପ୍ରଶ୍ନପତ୍ର ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ । କରୋନା ଭୟରେ ଯଦିଓ ସାମାଜିକ ଦୂରତା ରକ୍ଷା କରି ଛତ୍ରଛାତ୍ରୀଙ୍କୁ ପାଠପଢା ଯାଉଛି । ତଥାପି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଛାତ୍ରୀମାନଙ୍କୁ ଛାଡିବା ପାଇଁ ଅଭିଭାବକମାନେ ରାଜି ହେଉନାହାନ୍ତି ।