ଜିଲ୍ଲାରେ ଥିବା ଅବ୍ୟବହୃତ  ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘକୁ ହେବ ହସ୍ତାନ୍ତର । ଦୁଇ ମାସ ଭିତରେ ହସ୍ତାନ୍ତର ପ୍ରକ୍ରିୟା ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

302

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାରେ ଥିବା  ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ  ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ  ଜିଲ୍ଲାମାନଙ୍କରେ  ରହିଥିବା  ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି  ଯଥା- ସରକାରୀ କୋଠା ,ଦୋକାନ ଘର,  ଗଡ଼ିଆ ପୋଖରୀ  ଇତ୍ୟାଦିକୁ ବ୍ଳକ ଓ ପଞ୍ଚାୟତ ରେ ଥିବା  ମିଶନ ଶକ୍ତି  ମହାସଂଘମାନଙ୍କୁ ହସ୍ତାନ୍ତର କରାଯିବ ।

ଏପରି ହେଲେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ସାଧାରଣ ଲୋକମାନେ ମଧ୍ୟ ଏହାର ଉପକାର ପାଇବା ସହିତ ମିଶନ ଶକ୍ତିର ମା ମାନେ ତାକୁ ଆର୍ଥିକ କାର୍ଯ୍ୟ ଲଗାଇ ପାରିବେ । ତେଣୁ ଏହାକୁ ତୁରନ୍ତ ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳାମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମା ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।