ଏଣିକି ଘର ଦୁଆରେ ପହଞ୍ଚିବ ଆଲୁ-ପିଆଜ । କରୋନା ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ପ୍ରଶାସନର ବଡ ପଦକ୍ଷେପ

1,863

ରାଜ୍ୟରେ କରୋନା କଟକଣା କଡାକଡି ହୋଇଛି । କିନ୍ତୁ ଲୋକଙ୍କୁ ଜେତେ ସଚେତନ କରିବା ପରେ ବି ଲୋକେ ଚେତୁନାହାନ୍ତି । ଭୋଜି ଭାତ ଚାଲିଛି । ମିଛ ବାହାନା ଦେଖାଇ ବାହାରେ ବୁଲାବୁଲି ବି ଚାଲିଛି । ଏପରିକି ପରିବା କିଣିବା ଆଳ ଦେଖାଇ ଲୋକେ ବାହାରକୁ ବାହାରୁଛନ୍ତି । ଯାହା ଦ୍ୱାରା ସଂକ୍ରମଣ ବଢିବାର ଆଶଂକା ବଢିଯାଉଛି । ତେଣୁ ଏଭଳି ପରିସ୍ଥିତିରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି ।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ପ୍ରଶାସନ। ଜନସାଧାରଣ ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ସେମାନଙ୍କ ଦୁଆର ମୁହଁରେ ଆଳୁ ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି ମିସନ ଶକ୍ତିର ମହିଳା।
ମେ’ ୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନକୁ ରାଜ୍ୟ ସରକାର ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେଣୁ ଏହି ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାଧାରଣ ଜନତାଙ୍କ ଦୁଆର ମୁହଁରେ ଆଳୁ ପିଆଜ ନେଇ ସୁଲଭ ଦରରେ ବିକୁଛନ୍ତି । ଏଥିପାଇଁ ରାଉରକେଲାରେ ୯ଟି ଏସଏଚଜି ନିୟୋଜିତ ହୋଇଛନ୍ତି। ରାଉରକେଲା ମହାନଗର ନିଗମ ଏହି କାମରେ ସେମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଛି । ଫଳରେ ଲକଡାଉନ ନିୟମ ଭାଙ୍ଗି କାହାକୁ ବେଶୀ ବାଟ ଯିବାକୁ ପଡୁନାହିଁ। ହୋମ ଆଇସୋଲେସନରେ ଥିବା ବ୍ୟକ୍ତି ମଧ୍ୟ ଘରେ ଥାଇ ଆଳୁ ପିଆଜ ପାଇପାରୁଛନ୍ତି ।