କନକ ବ୍ୟୁରୋ : ମିଶନ ଶକ୍ତି ସଚିବଙ୍କ ବୟାନକୁ ନେଇ ବିଜେପିର ପ୍ରଶ୍ନ । ବିଜେଡି ଏହା ଉପରେ ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ତୁମ୍ଭନାଥ ପଣ୍ଡା କହିଛନ୍ତି ମିଶନ ଶକ୍ତି ଅଭିଯାନ ଯୋଗୁ ଓଡ଼ିଶାର ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ ଦେଇପାରିଛନ୍ତି ।

Advertisment

ଓଡ଼ିଶାରେ ମହିଳା ସଶକ୍ତିକରଣର ସଫଳ ଯୋଜନାକୁ ସମସ୍ତେ ପ୍ରଶଂସା କରୁଥିବାରୁ ବିଜେପି ଏହାକୁ ସହିପାରୁନାହିଁ ବୋଲି କହିଛନ୍ତି । ଏହା ସହ ତୁମ୍ଭନାଥ ପଣ୍ଡା କହିଛନ୍ତି ଓଡ଼ିଶା ବିଜେପି ନେତାମାନେ ଚାହୁଁଛନ୍ତି, ଓଡ଼ିଶା ମହିଳାମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତୁ । ଚୁଲିମୁଣ୍ଡରେ ରୋଷେଇ କରିବା ବ୍ୟତୀତ ଘରୁ ପଦାକୁ ଗୋଡ ନ କାଢନ୍ତୁ । ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବା ପାଇଁ କରୁଥିବା ଷଡଯନ୍ତ୍ର କେବେ ସଫଳ ହେବ ନାହିଁ ।

ସେପଟେ, ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ମିଶନ ଶକ୍ତିକୁ ଶାସକ ବିଜେଡି ଦଳୀୟ କାର୍ଯ୍ୟକ୍ରମ କରି ସାରିଲାଣି । ଏହାର ନେତୃତ୍ୱ ଏବେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନ୍ ନେଉଛନ୍ତି । ବୈଠକରେ ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ କରିଛି ବିଜେପି । ଯାହା ଓଡ଼ିଆଙ୍କ ପ୍ରତି ଅପମାନ ବୋଲି ଦଳ କହିଛି । ଏହା ସହ ବିଜେପି ଅଭିଯୋଗ କରିଛି ଯେ, ବିଜେଡି ଏଜେଣ୍ଡାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାନଗଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷ୍ମୀ ବିଏସକେୱାଇ ଯୋଜନାରେ ଏସଏଚଜି ମହିଳାଙ୍କୁ ଯୋଡିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ ।

ଏସଏଚଜି ଜରିଆରେ ଭୋଟରଙ୍କୁ କଳା ଟଙ୍କା ପଠାଇବାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କରିବେ ତାଙ୍କୁ ଦୁବାଇ, ସିଙ୍ଗାପୁର ବୁଲିବା ପାଇଁ ନିଆଯିବ ବୋଲି ମଧ୍ୟ ବିଭାଗୀୟ ସଚିବ ବୈଠକରେ କହିଛନ୍ତି । ମିଶନ ଶକ୍ତି ଜରିଆରେ ରାଜ୍ୟ ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ।