କନକ ବ୍ୟୁରୋ: ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମିଶନ ଶକ୍ତି, ସ୍ୱାସ୍ଥ୍ୟସେବା, ଓ ଶିକ୍ଷା ଭଳି କ୍ଷେତ୍ରକୁ ଗୁରତ୍ୱ ଦେଇ, ୨୩-୨୪ ଆର୍ଥିକ ବର୍ଷର ବଜେଟ ଆକଳନରେ, ୨ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସକାର । ବ୍ୟୟ ଅଟକଳ ପାଇଁ ରାଜସ୍ୱ ଭାବେ ୧ଲକ୍ଷ ୮୪ ହଜାର ୫ଶହ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା ୪୫ ହଜାର ୫ଶହ କୋଟି ଟଙ୍କାରୁ ଭରଣା କରାଯିବ ।

Advertisment

ମିଶନ ଶକ୍ତି ସ୍କୁଟର ଯୋଜନା
ଇ-ସ୍କୁଟର ପାଇଁ ବିନା ସୁଧରେ ଦିଆଯିବ ଋଣ
ନବୀନଙ୍କ ଫୋକସରେ ଥିବା ମିଶନ ଶକ୍ତିର ମହିଳାଙ୍କ ପାଇଁ ବଜେଟରେ ୨ହଜାର ୫ଶହ ୫୪ କୋଟି ଟଙ୍କା ବ୍ୟୟବରାଦ ରହିଛି । ସ୍କୁଟର ଯୋଜନା ନାଁରେ ଏକ ନୂଆ ଯୋଜନା ପାଇଁ ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାଙ୍କୁ ବୈଦ୍ୟୁତିକ ସ୍କୁଟର କିଣିବା ପାଇଁ ବିନା ସୁଧରେ ବ୍ୟାଙ୍କ ରୁଣ ମିଳିବ । ଏଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ଦେଢ଼ ଶହ କୋଟି ଟଙ୍କା ଏବଂ ଏସଏଚଜିଙ୍କୁ ସୁଧ ରିହାତି ବାବଦରେ ୨ଶହ ୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଫୋକସରେ ମହିଳା ଓ ଶିଶୁ ବିକାଶ
୩ ହଜାର ୬ଶହ ୭୦ କୋଟି ଟଙ୍କାର ବ୍ୟୟ ବରାଦ
ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ସମ୍ବନ୍ଧୀୟ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ୩ ହଜାର ୬ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସେହିପରି ଅସହାୟ ଶିଶୁ ମାନଙ୍କ ସହାୟତା ପାଇଁ ୫୨ କୋଟି ଟଙ୍କା, ମମତା ଯୋଜନାରେ ୨ଶହ ୧୯ କୋଟି ଟଙ୍କା, ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବାର ପ୍ରସ୍ତାବ ରହିଛି ।

ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କା
ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହେବ ୧୪୭ ସ୍ୱାସ୍ଥ୍ୟକେନ୍ଦ୍ର
ଓଡିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଜନସ୍ୱାସ୍ଥ୍ୟ ସେବା ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯାହା ଗତ ଆର୍ଥିକ ବର୍ଷର ବ୍ୟୟ ବରାଦ ତୁଳନାରେ ୨୭ ପ୍ରତିଶତ ଅଧିକ । ଏଥିସହ ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟ ସୁବିଧା ପହଁଚାଇବା ପାଇଁ ଆମ ହସ୍ପିଟାଲ ନାମକ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି । ଏଥିପାଇଁ ବଜେଟରେ ୭ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ବର୍ଷକ ଭିତରେ ୧ଶହ ୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଥିସହ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ର ପାଇଁ ଏବର୍ଷ ମୋଟ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବଜେଟରେ କୃଷି ଉତ୍ପାଦନ ବୃଦ୍ଧି, କୃଷକ ସହାୟତା ଓ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଇଛି ।