କନକ ବ୍ୟୁରୋ : ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । ସୁଜାତା କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କର ଅଧିକାର । ମହିଳାଙ୍କୁ ଏପରି ତ କୁହାଯାଇ ପାରିବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଓଡ଼ିଶାରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ମହିଳା ରହିଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାଠାରୁ ଅଧିକ ମହିଳା ବିଜୟୀ ହୋଇ ଆସିଛନ୍ତି । ଏମିତିକି ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ମହିଳା ହାତେଇଛନ୍ତି । ଏସବୁ ଭିତରେ ମିଶନ ଶକ୍ତି ମହିଳାଙ୍କ ନେତୃତ୍ୱ ନେବାର ନୂଆ ପ୍ଲାଟଫର୍ମ ସାଜିଛି ।

Advertisment

ଏହାପୂର୍ବରୁ ବିରୋଧୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି, ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଂଟି ସରକାର ନିଜର ଭୋଟ୍ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସ୍ଏଚ୍ଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ ।

କେବଳ ଏତିକି ନୁହେଁ ମିଶନ ଶକ୍ତିର ଭବିଷ୍ୟତ କାର୍ଯ୍ୟପନ୍ଥା କଣ ରହିଛି ସେ ବାବଦରେ ବିଷଦ ଭାବେ ଆଲୋଚନା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ । ଚଳିତଥର ବଜେଟରେ ମିଶନ ଶକ୍ତିରେ ଦୁଇଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଯେହେତୁ ମିଶନ ଶକ୍ତି ସ୍କୁଟି ଯୋଜନା ଆରମ୍ଭ କରାଯାଇଛି । ତେଣୁ ଏହାର ଲାଭ ଯେପରି ଅଧିକରୁ ଅଧିକ ମହିଳାମାନେ ଉଠାଇ ପାରିବେ ସେଥିପାଇଁ ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି । ସେହିଭଳି ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ , ଗଣ ଶିକ୍ଷା ବିଭାଗ ସହ ସହଭାଗୀତା କରିବ ମିଶନ ଶକ୍ତି । ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏନେଇ ସଚେତନତା ସୃଷ୍ଟି କରିବା , ମିଶନ ଶକ୍ତି ମହିଳା ମାନଙ୍କୁ ନର୍ସରୀ କାମରେ ମଧ୍ୟ ସାମିଲ କରାଯିବ । ସମସ୍ତ ୫-ଟି ସ୍କୁଲ ଓ କସ୍ତୁରବା ଗାନ୍ଧି ସ୍କୁଲ ଗୁଡିକରେ ମେଂଟେନାନ୍ସ କରିବେ ଏସଏଚଜି ମହିଳା । ସେମାନଙ୍କୁ ୫ ବର୍ଷରେ ୧୦ହଜାର କୋଟିର କାମ ଯୋଗାଇଦେବେ ରାଜ୍ୟ ସରକାର ।

ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ ଓ ଆଚାର ଉପରେ ଦିଆଯିବ ଗୁରୁତ୍ୱ । ତା ସହିତ ଫ୍ୟାସନରୁ ନେଇ ବିୟୁଟି , ଷ୍ଟିଚିଂ ଓ ବିଜନେସ ମ୍ୟାନେଜମେଂଟ ଟ୍ରେନିଂ ମଧ୍ୟ ଦିଆଯିବ । ଓୟୁଏଟି ସହଭାଗିତାରେ କୃଷି ପ୍ରକ୍ରିୟାକରଣ ଟ୍ରେନିଂ ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ଏସଏଚଜିର ୨ଲକ୍ଷ ଇସି ସଦସ୍ୟଙ୍କୁ ଇ-ସ୍କୁଟର କ୍ରୟ ପାଇଁ ଋଣ ଯୋଗାଇବେ ରାଜ୍ୟ ସରକାର । ଋଣର ସମସ୍ତ ସୁଧ ମଧ୍ୟ ସରକାର ବହନ କରିବେ । ଆବଶ୍ୟକ ପଡିଲେ ଅତିରିକ୍ତ ବଜେଟରେ ପାଣ୍ଠି ବଢାଯିବା ନେଇ ଜଣାଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ ।