କନକ ବ୍ୟୁରୋ : ମୂଳ ଲକ୍ଷ୍ୟଠାରୁ ଯୋଜନ ଦୂରରେ ମିଶନ ଶକ୍ତି ଗୃହ । ଲକ୍ଷାଧିକ ଟଙ୍କା ଖର୍ଚ କରି ନିର୍ମାଣ ହୋଇଛି ମିଶନ୍ ଶକ୍ତି ଗୃହ । ହେଲେ କାମରେ ଆସୁନି । କେଉଁଠି ନିର୍ମାଣ ପରଠୁ ତାଲା ଝୁଲୁଛି ତ ଆଉ କେଉଁଠି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ବଡଇରୁକୁବାଡି ମିଶନ୍ ଶକ୍ତି ଗୃହ ଅନାବନା ଗଛରେ ପୋତି ହୋଇ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସେହିଭଳି ଗାଜିଙ୍ଗା ମିଶନ୍ ଶକ୍ତି ଗୃହର ସମାନ ଅବସ୍ଥା । ଗୃହ ସିନା ନିର୍ମାଣ ହେଲା ହେଲେ ବର୍ତମାନ ସୁଦ୍ଧା ଚାବି ଉକ୍ତ ହସ୍ତାନ୍ତର କରାଯାଇନି । ଯାହାଫଲରେ ଅନାବନା ଗଛରେ ପୋତିହୋଇଗଲାଣି ଗୃହ । ସେହିଭଳି କିଛି ଗୋଷ୍ଠୀର ମହିଳାଙ୍କ ପାଇଁ ମିଶନ୍ ଶକ୍ତି ଗୃହ ନଥିବାରୁ ପ୍ରତି ମାସରେ ବୈଠକ ପାଇଁ ବାରଦୁଆର ଶୁଣ୍ଡିପିଣ୍ଡା ହଉଛନ୍ତି । ଏନେଇ ଅଭିଯୋଗ ପରେ ବି କୌଣସି ସମାଧାନ ହୋଇପାରିନି ।
ରାୟଗଡା ଜିଲ୍ଲାରେ ସମୁଦାୟ ୧୮୨ଟି ପଚାଂୟତରେ ୨୨୦ଟି ମିଶନ୍ ଶକ୍ତି ଗୃହ ନିର୍ମାଣ ହୋଇଥିବା କୁହାଯାଇଛି । ହେଲେ କେଉଁଠି ମିଶନ୍ ଶକ୍ତି ଗୃହ ନାହିଁ ତଆଉ ଯେଉଁଠି ଅଛି ତାହା ବ୍ୟବହାର ନହୋଇ ଅନାବନା ବୁଦାରେ ପୋତିହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଆଉ କିଛି ନିର୍ମାଣ ହୋଇ ଅଧପନ୍ତରିଆ ହୋଇ ପଡି ରହିଛି । ଯାହାପାଇଁ ଅସନ୍ତୋଷ ବଢି ଚାଲିଛି ।
ମିଶନ୍ ଶକ୍ତି ଗୃହ ଏପରି ପଡି ଭାଙ୍ଗିଯିବା ପୂର୍ବରୁ ବିଭାଗୀୟ ପକ୍ଷରୁ ଯଥାଶୀଘ୍ର ଏହାକୁ ସଫାସୁତରା କରି ମିଶନ୍ ଶକ୍ତି ଗୋଷ୍ଠୀର ମହିଳାଙ୍କୁ ଯୋଗାଇଦେଲେ ସେମାନେ ଉପକୃତ ହୋଇପାରିବେ ।