ଆଦିବାସୀ ଅଧ୍ୟୁଷିତ ଅଂଚଳରେ ମହିଳାଙ୍କୁ ରୋଜଗାର ଦେଇଛି ମିଶନ ଶକ୍ତି, ସ୍ୱାବଲମ୍ବୀ ହେଉଛନ୍ତି ଗ୍ରାମାଞ୍ଚଳ ମହିଳା

78

କନକ ବ୍ୟୁରୋ : ଯୁଗ ବଦଳିଛି, ମହିଳାଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି । ସମୟ ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି ମହିଳା । ଆଗ ଭଳି ଆଉ ନିଜର ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନିଜସ୍ୱ ଉଦ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ରୋଜଗାର ପାଇଁ ବାଟ ବାଛୁଛନ୍ତି ମହିଳା । ଆଉ ଏଥିରେ ତାଙ୍କୁ ସହଯୋଗରେ ହାତ ବଢ଼ାଇଛି ମିଶନ ଶକ୍ତି । ସେହିପରି ରାୟଗଡ଼ା ପୌରପରିଷଦ ୧୨ ନମ୍ବର ୱାର୍ଡର ବାସିନ୍ଦା ହେଉଛନ୍ତି ରଂଜିତା ପଟ୍ଟନାୟକ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ୨୦୧୬ରେ ୧୨ ଜଣ ମହିଳାଙ୍କୁ ନେଇ ୨୦୧୬ରେ ଗଠନ କରିଥିଲେ ସାଇ ସମୃଦ୍ଧି ସ୍ୱୟଂ ସହାୟକ ଗୋଷ୍ଠୀ । ରଂଜିତା ନିଜେ ଗ୍ରୁପର ଦାୟିତ୍ୱ ନେଇ ଗୁଣୁପୁର ସହରରେ ଖୋଲିଥିଲେ ଶିଲେଇ ଶିକ୍ଷା କେନ୍ଦ୍ର । ଏଥିରେ ଗ୍ରୁପର ସମସ୍ତ ସଦସ୍ୟଙ୍କୁ ସାମିଲ କରି ମିଶନ ଶକ୍ତି ସହାୟତାରେ ବ୍ୟାଙ୍କରୁ ରୁଣ ଆଣି ଏହି ବ୍ୟବସାୟ ଆଗକୁ ବଢ଼ାଇଥିଲେ । ଅଙ୍ଗନୱାଡ଼ି ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ପିଲାଙ୍କ ୟୁନିଫର୍ମ, ବିଭିନ୍ନ ପ୍ରକାର ବସ୍ତ୍ର ବିକ୍ରି କରୁଛନ୍ତି ।

ଏହି ଶିଲେଇ ଶିକ୍ଷା କେନ୍ଦ୍ରରେ ଶାଢ଼ି ଫଲ, ଡିଜାଇନ ଫ୍ରକ୍, ଏମ୍ବ୍ରୋଡ଼ୋରି ୱାର୍କ କାମ ତାଲିମ ନେଉଛନ୍ତି ମହିଳା । ପାଖାପାଖି ୩ହଜାରରୁ ଉଦ୍ଧ୍ୱର୍ ମହିଳା ଏହି କେନ୍ଦ୍ରରୁ ତାଲିମ ଶେଷ କରିଥିବା କୁହନ୍ତି ରଂଜିତା । ମାନୁଆଲ ମେସିନ୍ ସହିତ ବିଦ୍ୟୁତ୍ ଚାଳିତ ମେସିନରେ ଡ୍ରେସ୍ ଶିଲେଇ କରି ରୋଜଗାର କରୁଛନ୍ତି ଏସଏଚଜି ମହିଳା । ଘର କାମ ସାରି ୨ରୁ ୩ଘଂଟା ପରିଶ୍ରମ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇର୍ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମିଶନ ଶକ୍ତି ବ୍ଲକ କୋର୍ଡ଼ିନେଟର ।

ନିଜ ପରିବାରର ସମସ୍ତ କାମ ସହ ଗୁଣୁପୁର ଅଂଚଳରେ ମହିଳାମାନଙ୍କ ଏପରି ଉଦ୍ୟମ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।