ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି । ସିଲେଇ ମେସିନ୍ ପ୍ରଡକ୍ସନ ୟୁନିଟ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ୩୦ ଜଣ ମହିଳା ।

226

କନକ ବ୍ୟୁରୋ : ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଆନୂକୂଲ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଖଲ୍ଲିକୋଟ ଅଞ୍ଚଳରେ ସିଲେଇ ମେସିନ ପ୍ରଡକ୍ସନ ୟୁନିଟ୍ କରି ଆତ୍ମନିର୍ଭରଶିଳ ହୋଇପାରିଛନ୍ତି ମହିଳା ।

ଡ୍ରେସ ତିଆରିରେ ବ୍ୟସ୍ତ ମହିଳା । କିଏ ମେସିନରେ କପଡା ତିଆରି କରୁଛନ୍ତି, ତ ଆଉ କିଏ ହାତରେ ଛୁଂଚି ସୂତା ଧରି ସିଲେଇ କରୁଛନ୍ତି । ସମସ୍ତଙ୍କ ଭିତରେ ଗୋଟିଏ ଲକ୍ଷ୍ୟ ନିଜେ ରୋଜଗାର କରିବେ ଆଉ ସ୍ୱାବଲମ୍ବୀ ହେବେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଲଙ୍ଗଳେଶ୍ୱର ପଂଚାୟତର ଭେଜିପୁଟ ଠାରେ ଝାନ୍ସିରାଣୀ ଉଲେନ ଟେଲେରିଂ ପ୍ରଡକ୍ସନ ଗ୍ରୁପ୍ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ୩୦ ଜଣ ମହିଳା ।

ଏକ ଭଡା ଘରେ ହାତରେ ଉଲରେ ଶୀତଦିନିଆ ବସ୍ତ୍ର ଓ ଘର ସାଜସଜା ସମଗ୍ରୀ ତିଆରି କରି ବିକ୍ରି କରୁଥିଲେ । ଏବେ ସେଥିରେ ଆଉ କିଛି ମିଶାଇ ଦେଇଛନ୍ତି । ସିଲେଇ ମେସିନ ସାହାଯ୍ୟରେ ନାଇଟ ଡ୍ରେସ, ତକିଆ ଖୋଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ତିଆରି କରି ବିକ୍ରି କରୁଛନ୍ତି । ଗଞ୍ଜାମ ପରିଧାନ ଦ୍ୱାରା ବିଭିନ୍ନ ଅର୍ଡର ରଖି କାମ କରୁଛନ୍ତି । ଅଙ୍ଗନବାଡି ପିଲାଙ୍କ ପାଇଁ ଡ୍୍େରସ, ସ୍କୁଲ ପିଲାଙ୍କ ଡ୍ରେସ ଅର୍ଡର ରଖି ଦୁଇ ପଇସା ରୋଜଗାର କରିପାରୁଛନ୍ତି ମହିଳା । ଏମାନଙ୍କୁ ଗାଇଡ କରିବା ପାଇଁ ରହିଛନ୍ତି ଜୀବିକା ମିଶନରେ କାମ କରୁଥିବା ସିଆରପି ଓ ଏମିବିକେ ।

ପ୍ରଥମେ ମହିଳାମାନେ ସିଲେଇ ପ୍ରଶିକ୍ଷଣ ନେଇ ଘରେ ରହି କାମ କରୁଥିଲେ । ପରେ ଓଡିଶା ଜୀବିକା ମିଶନ ସାହାଯ୍ୟରେ ବ୍ୟାଙ୍କରୁ ଲୋନ ଆଣି ସିଲେଇ ମେସିନ କିଣି ପ୍ରଡକ୍ସନ ୟୁନିଟ ଆରମ୍ଭ କରିଛନ୍ତି । ଆଗକୁ ମିଶନ ଶକ୍ତିର ନିଜସ୍ୱ ଗୃହ ହେଲେ ପ୍ରଡକ୍ସନ ୟୁନିଟକୁ ବଢେଇବା ସହ ଅଧିକ କାମ କରିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କହିଛନ୍ତି ।