କନକ ବ୍ୟୁରୋ : ମହିଳାଙ୍କୁ ସଶକ୍ତ କରୁଛି ମିଶନ ଶକ୍ତି । ଓଏଲଏମ ଓ ମିଶନ ଶକ୍ତି ସହଯୋଗରେ ଖଲ୍ଲିକୋଟ୍ ଘୋଡ଼ାପଡ଼ା ଗାଁରେ ଆରମ୍ଭ ହୋଇଛି ତେଲ ଉତ୍ପାଦନ ୟୁନିଟ୍ । ମେସିନ ସାହାଯ୍ୟରେ ଚିନାବାଦାମ, ନଡ଼ିଆ ଓ ସୋରିଷରୁ ତେଲ ବାହାର କରି ବଜାରରେ ବିକ୍ରି କରୁଛନ୍ତି ମହିଳା । ଏଥିପାଇଁ ୨୫ ଜଣ ମହିଳା ଛତ୍ରପୁର ଠାରେ ପ୍ରଶିକ୍ଷଣ ନେଇଛନ୍ତି । ଏକ ଭଡା ଘରେ ଚାଲିଛି ତେଲ ଉତ୍ପାଦନ । ପ୍ରଡକ୍ସନ ୟୁନିଟ, ପ୍ୟାକିଙ୍ଗ, ବଟଲିଙ୍ଗ ପାଇଁ ଦୁଇଟି ଷ୍ଟୋର ରୁମ ରହିଛି । ଆଦିବାସୀ ଅଧ୍୍ୟୁଷିତ ବାଦପଲ୍ଲି ପଂଚାୟତରେ ଚିନାବାଦମ ଚାଷ ଅଧିକ ହୋଇଥାଏ । ସ୍ଥାନୀୟ ଅଂଚଳର ଚାଷୀଙ୍କ ଠାରୁ ଚିନାବାଦାମ କିଣି ଏହି ଉତ୍ପାଦକ ଗୋଷ୍ଠୀ ତେଲ ଉତ୍ପାଦନ କରୁଛନ୍ତି । ଚାଷୀ ମାନେ ମଧ୍ୟ ଘର ପାଖରେ ଚିନାବାଦାମ ବିକ୍ରି କରି ଲାଭବାନ ହେଉଛନ୍ତି ।

Advertisment

ମା’ ଗ୍ରାମ୍ୟଦେବୀ ଚିନାବାଦାମ ଉତ୍ପାଦକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ତେଲ ସମ୍ପୁଣ୍ଣ ପ୍ରାକୃତିକ । କୌଣସି ଅପମିଶ୍ରଣ କରାଯାଉନଥିବାରୁ ବାଜାରରେ ଏହାର ଚାହିଦା ବଢୁଛି । ତେଲ ଲିଟର ପିଛା ୧୯୦ଟଙ୍କାରେ ବିକ୍ରି କରାଯାଉଛି । ଦିନେ ଘରେ ବସି ବସି ସମୟ ବିତାଉଥିବା ମହିଳା ଏବେ ମାସକୁ ୫ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଏଣିକି ପରିବାର ଚଳାଇବା ପାଇଁ ସେମାନଙ୍କୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ପଡ଼ୁନାହିଁ ।

ତେବେ ଭଡ଼ାଘରେ ଚାଲିଥିବା ଏହି ତେଲ ଉତ୍ପାଦନ ୟୁନିଟ୍ ପାଇଁ ଏକ ଗୃହ ନିର୍ମାଣ ହୋଇପାରିଲେ ପଡକ୍ସନ ୟୁନିଟ୍ ଆହୁରି ଆଗକୁ ବଢିପାରନ୍ତା ବୋଲି କହିଛନ୍ତି ଉତ୍ପାଦକ କେନ୍ଦ୍ରର ସଦସ୍ୟା ।