କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଳକରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନର ସହାୟତାରେ ଆରମ୍ଭ ହୋଇଛି ମିଶନ ଶକ୍ତି କାଫେ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଏହି କାଫେର ଦାୟିତ୍ୱ ଏବେ ଧରୀତ୍ରି ଫେଡ଼େରେସନକୁ ଦିଆଯାଇଛି । ଏହି କାଫେରେ ଟିଫିନ, ଚା କଫି ଠାରୁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା ରହିଛି । ପୁରା ଘରୋଇ ଖାଦ୍ୟ ଗ୍ରାହକଙ୍କୁ ନିଜ ହାତରେ ପରଶି ଦେଉଛନ୍ତି ମିଶନ ଶକ୍ତିର ମା ମାନେ । ଖାଲି ଏତିକି ନୁହେଁ ଏହି ଠାରେ ବିଭିନ୍ନ ପ୍ରକାର ଶସ୍ୟ ଜାତୀୟ ଜିନିଷ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରୀ କରାଯାଉଛି । ବିଶେଷ କରି ମାଣ୍ଡିଆ, ସୁଆଁ, କାନ୍ଦୁଲ, ବଡ଼ି, ପାମ୍ପଡ଼, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟ ବିକ୍ରୀ କରାଯାଉଛି । ଏହି ମିଶନ ଶକ୍ତି କାଫେରେ ଘରୋଇ ଖାଦ୍ୟର ମଜା ନିଆରା ବୋଲି ଗ୍ରାହକମାନେ ପ୍ରକାଶ କରିଛନ୍ତି ।

Advertisment

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ଏହି ମିଶନ ଶକ୍ତି କାଫେ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ରୋଜଗାରକ୍ଷମ କରିବାକୁ ପ୍ରୟାସ କରାଯାଇଛି । ମିଶନ ଶକ୍ତି କାଫେର ଦାୟିତ୍ୱ ବ୍ଳକ ଲେବୁଲ ଫେଡ଼େରେସନକୁ ଦିଆଯାଇଥିବା ବେଳେ ଗ୍ରାହକମାନେ କାଫେକୁ ଆସି ଘରୋଇ ଖାଦ୍ୟ ଖାଇ ମଜା ନେଉଛନ୍ତି ।