କନକ ବ୍ୟୁରୋ: ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି କାଫେ । ଏହି କାଫେରେ ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ପ୍ରସ୍ତୁତ କରି ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି ଗ୍ରାମାଞ୍ଚର ମହିଳା । ଏହା ସହ ମାଣ୍ଡିଆରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଦିନକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକରେ ଖୋଲିଛି ଏହି ମିଶନ ଶକ୍ତି କାଫେ । ପ୍ରାୟ ୧୮ଟି ପଞ୍ଚାୟତର ସ୍ୱୟଂସହାୟକ ଗୋଷ୍ଠୀ, ବ୍ଲକସ୍ତରୀୟ ଗୁରୁପ୍ରିୟା ଫେଡେରେସନର ମହିଳାମାନେ ଏକତ୍ର ହୋଇ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି । ଏହା ସହ ଚା’ ସ୍ନାକ୍ସ, ମାଣ୍ଡିଆ ବିସ୍କୁଟ୍, ମାଣ୍ଡିଆ ବରା ଭଳି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ବ୍ଳକକୁ ବିଭିନ୍ନ କାର୍ଯ୍ୟରେ ବହୁ ଦୂରଦରାନ୍ତରୁ ଆସୁଥିବା ସାଧାରଣ ଲୋକ ଓ କର୍ମଚାରୀ ଏହି ଖାଦ୍ୟର ମଜା ଉଠାଉଛନ୍ତି ।

Advertisment

ମିଶନ ଶକ୍ତି କାଫେ ଚଳାଇ ଏସଏଚଜି ମହିଳାମାନେ ଆତ୍ମନିର୍ଭର ହୋଇପାରିବେ । ଲୋକଙ୍କ ଦେଶୀ ଓ ହାତ ତିଆରି ଖାଦ୍ୟ ମିଳିପାରିବ । ଏହା ସ୍ଥାନୀୟ ଅଞ୍ଚଳର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ଯୋଗାଇବ । ଏହି ଉଦ୍ଦେଶ୍ୟରେ ମହିଳାମାନେ ଚିତ୍ରକୋଣ୍ଡା ଠାରେ ଆରମ୍ଭ ହୋଇଛି ମିଶନ ଶକ୍ତି କାଫେ । ମହିଳା ମାନଙ୍କ ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା କରିବା ସହ ଅନ୍ୟ ମହିଳା ମାନେ ମିଶନ ଶକ୍ତି ସହ ଯୋଡ଼ି ହେଲେ ଆତ୍ମନିର୍ଭର ହୋଇପାରିବେ ବୋଲି ଆଶା ରଖିଛନ୍ତି ।