କନକ ବ୍ୟୁରୋ : ଆଗକୁ ଅଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏହା ଆଗରୁ ଗଂଜାମ ଜିଲ୍ଲାରେ ବାଚସ୍ପତିଙ୍କ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଛି । ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚରମସୀମା ଛୁଇଁଛି । ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡ.ସୂର୍ଯ୍ୟନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ଆଜି ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ ପ୍ରବଳ ବିରୋଧ କରିବା ସହ ଘେରାଉ କରି ରଖିଥିଲେ । ଖାଲି ଏତିକି ନୁହେଁ, କିଛି କର୍ମୀ ଦଳୀୟ ପତାକାକୁ ପୋଡ଼ି ଦେଇଥିଲେ । ସ୍ଥିତି ଏମିତି ହୋଇଥିଲା, ଦୁଇ ଘଣ୍ଟା ଧରି ଅସନ୍ତୁଷ୍ଟ ଗୋଷ୍ଠୀର କବ୍ଜାରେ ରହିଥିଲେ ବାଚସ୍ପତି ଓ ସାଂସଦ। ଶେଷରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ କାର୍ଯ୍ୟକ୍ରମକୁ ବାତିଲ୍ କରି ଉଭୟେ ଫେରି ଆସିଥିଲେ । ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ : ବାଚସ୍ପତି, ସାଂସଦ ୨ଘଣ୍ଟା ଅଟକ; ବାତିଲ ହେଲା ମିଶନ ଶକ୍ତି କୋଠା ଉଦଘାଟନ କାର୍ଯ୍ୟକ୍ରମ
/kanak/media/post_attachments/wp-content/uploads/2021/11/2-4.jpg)
ମିଳିଥିବା ସୂଚନାନୁସାରେ, ବାଚସ୍ପତି ଶ୍ରୀ ପାତ୍ର ଦୁଇଦିନିଆ ନିର୍ବାଚନମଣ୍ଡଳୀ ଗସ୍ତରେ ଅଛନ୍ତି । ଗତକାଲି ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଚୌଧୁରୀଟିକରପଡ଼ା ଗ୍ରାମ ବଡ଼ସାହିରେ ମିସନ୍ ଶକ୍ତି କୋଠା ଉଦ୍ଘାଟନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏଥିପାଇଁ ବାଚସ୍ପତି ଓ ସାଂସଦ ଗ୍ରାମରେ ପହଞ୍ଚିଥିଲେ । କିନ୍ତୁ ସେମାନେ ପହଞ୍ଚିବା କ୍ଷଣି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ରୋଷର ଶିକାର ହୋଇଥିଲେ । ଅପରାହ୍ଣ ପ୍ରାୟ ୨ଟାରୁ ୪ଟା ପର୍ଯ୍ୟନ୍ତ ୨ଘଣ୍ଟା ଧରି ଗ୍ରାମର ବହୁ ସଂଖ୍ୟକ ମହିଳାଙ୍କ ସମେତ ଅସନ୍ତୁଷ୍ଟ ବିଜେଡି କର୍ମୀ ବାଚସ୍ପତିଙ୍କ କାର୍ ଆଗରେ ବସି ରହି ପ୍ରତିବାଦ କରିଥିଲେ । ସାଂସଦଙ୍କୁ ବି ଘେରିଥିଲେ । କିଛି ନିର୍ଦ୍ଦିଷ୍ଟ ଦଳୀୟ ନେତୃବୃନ୍ଦଙ୍କ କଥାରେ ଆପଣ କାହଁକି ପରିଚାଳିତ ହେଉଛନ୍ତି ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ । କିଛି ଯୁବ ବିଜେଡି କର୍ମୀ ଉତ୍ତେଜିତ ହୋଇ ବାଚସ୍ପତିଙ୍କ ସହ ଶୋଭାଯାତ୍ରାରେ ଆସିଥିବା ଦଳୀୟ କର୍ମୀଙ୍କ ଠାରୁ ପତାକା ଛଡ଼ାଇ ଚିରିବା ସହ ପୋଡ଼ି ଦେଇଥିଲେ ।
ସ୍ମାର୍ଟ କ୍ଲାସ୍ରୁମ୍ ଏବଂ ନବନିର୍ମିତ ମିସନ୍ ଶକ୍ତି କୋଠା ଉଦ୍ଘାଟନ କରିବାକୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦ ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନଥିଲେ । ଶେଷରେ ନିଜେ ବାଚସ୍ପତି କାର୍ଯ୍ୟକ୍ରମକୁ ବାତିଲ୍ ଘୋଷଣା କରିଥିଲେ । ବିଜେଡି ଜିଲ୍ଲା ଉପସଭାପତି ବି.କ୍ରିଷ୍ଣାରାଓ ସୁବୁଦ୍ଧି, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତୃବୃନ୍ଦଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ନିଜେ ବାଚସ୍ପତି ସମସ୍ତ ଅସନ୍ତୁଷ୍ଟ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ତେବେ ଗ୍ରାମରେ ପଞ୍ଚାୟତ କାର୍ଯ୍ୟାଳୟ ଦ୍ବାରା ନବନିର୍ମିତ କୋଠା ଏବଂ ଚେକ୍ ଡ୍ୟାମ୍କୁ ବାଚସ୍ପତି ଉଦ୍ଘାଟନ କରିଥିଲେ ।