ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ବିଭାଗ । ଏଣିକି ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ ସରକାର । ଶିଶୁ ପ୍ରଯତ୍ନ ଅନୁଷ୍ଠାନକୁ ହଇରାଣ ନକରିବାକୁ ସତର୍କ

ଲୋକସେବା ଭବନରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

394

କନକ ବ୍ୟୁରୋ: ମୋ ସରକାରରେ ମିଶନ ଶକ୍ତି । ରାଜ୍ୟ ସରକାରଙ୍କ ଜନହୀତକର କାର୍ଯ୍ୟକ୍ରମ ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ । ତେବେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ଉଭୟ ମାଆ ଏବଂ ଶିଶୁ ମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଉଛି । ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ସରକାରୀ ଯୋଜନା ତଥା ଶିଶୁମାନଙ୍କ ପୃଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ସେହିଭଳି ଓଡିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ ହେବା ସହିତ ମା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଆଉ ଏହି ସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ସେହିଭଳି ଲୋକଙ୍କ ମତାମତ ଭିତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିବା ସହିତ ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବରେ ବୁଝାଇବା ସହିତ ଏହାର ବିଭିନ୍ନ ଦିଗ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନବାଡିକୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡାକଡି କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ଫାଇଭଟି ସଚିବ । ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନମାନଙ୍କୁରେ ଇନପେକ୍ସନ ରିପୋର୍ଟ ଓ ଗ୍ରାଣ୍ଟଂ ଇନ ଆଡ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସର୍ଭିସ ପ୍ରୋଭାଇଡର ମାନଙ୍କୁ ବିଲ୍ ମଂଜୁର ଏବଂ ମିଶନ ଶକ୍ତିର ରିଭୋଲଭିଂ ଫଣ୍ଡ, ଇନଫ୍ରଷ୍ଟ୍ରକଚର ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନ କରିବା ପାଇଁ ସତର୍କ କରାଇଛନ୍ତି ଫାଇଭଟି ସଚିବ ।