ମିଶନ କର୍ଣ୍ଣାଟକରେ ପ୍ରଚାରର ବିଗୁଲ ବଜାଇବେ ପ୍ରଧାନମନ୍ତ୍ରୀ : ଶ୍ରୀକୃଷ୍ଣ ମଠ ଯାଇ ନେବେ ଆଶୀର୍ବାଦ, ୩ଟି ସ୍ଥାନରେ ଜନସଭା

40

କନକ ବ୍ୟୁରୋ : ମିଶନ କର୍ଣାଟକରେ ମୋଦି । ଆଜିଠାରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକରେ ସେ ୫ ଦିନରେ ୧୫ଟି ରାଲି କରିବେ । ଆଜି ୩ଟି ରାଲିରେ ପ୍ରଧାନମନ୍ତ୍ରୀଙ୍କ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଆଜି ଚମରାଜନଗର ଜିଲ୍ଲାରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ମୋଦି । ଦିନ ସାଢେ ୧୧ଟା ବେଳେ ସନ୍ଥେମାରାନାହାଲିରେ ଏକ ଜନସମାବେଶକୁ ସମ୍ବୋଧନ କରିବେ । ଏହା ପରେ ସେ ଉଡୁପିରେ ପହଂଚି କ୍ରିଷ୍ଣା ମଠ ପରିଦର୍ଶନ କରିବେ ।

ଅପରାହ୍ନ ୩ଟାରେ ମୋଦି ଏଜିଏମ କଲେଜ ଗ୍ରାଉଣ୍ଡରେ ଅନ୍ୟ ଏକ ଜନସମାବେଶରେ ଯୋଗ ଦେବେ । ଏହା ପରେ ସେ ଚିକୋଡି ଯାଇ ସେଠାରେ ଆଉ ଗୋଟିଏ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ରାଲି ବେଳେ ମୋଦିଙ୍କ ସହ ବରିଷ୍ଠ ବିଜେପି ନେତା ୟେଦ୍ୟୁରପ୍ପା ଓ ବିଜେପି ସଭାପତି ଅମିତ ଶାହା ଉପସ୍ଥିତ ରହିବେ । ବିଭିନ୍ନ ଜନମତ ସର୍ଭେ ଅନୁଯାୟୀ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ । କୌଣସି ଦଳକୁ ବହୁମତ ମିଳିବ ନାହିଁ । ତେବେ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ କଂଗ୍ରେସର ପଲ୍ଲା ବିଜେପିଠାରୁ ଭାରି ରହିଛି । ତେଣୁ କର୍ଣ୍ଣାଟକକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ସବୁ ଜୋର ଲଗାଇଦେବ ।