କଂଗ୍ରେସ ଓ ବିରୋଧୀ ମେଂଟକୁ କଡା ସମାଲୋଚନା କଲେ ମୋଦି ! କହିଲେ, ମଜବୁର ନୁହେଁ ଦେଶକୁ ଦରକାର ମଜବୁତ୍ ସରକାର ।

114

କନକ ବ୍ୟୁରୋ : ବିଜେପିର ମିଶନ ୨୦୧୯ । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ବୁଥ୍ ସ୍ତରରେ ସଂଗଠିତ ହୋଇ କାମ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟପଟେ ବିରୋଧୀଙ୍କ ସୁବିଧାବାଦୀ ରାଜନୀତି ପାଇଁ ଗଢା ହେଉଥିବା ମହାମେଂଟ ନେଇ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ତାର ସହଯୋଗୀ ଦଳମାନେ ଦେଶର ବିକାଶର ପରିପନ୍ଥୀ ବୋଲି କହିଛନ୍ତି ମୋଦି । ସ୍ଥିର ସରକାର ତଥା ସମସ୍ତଙ୍କ ବିକାଶ ପାଇଁ ଜଣେ ସଚ୍ଚୋଟ ଦେଶ ସେବକର ଆବଶ୍ୟକ ବୋଲି ନିଜ ଉଦବୋଧନରେ ମୋଦି କହିଛନ୍ତି । ବିରୋଧୀଙ୍କ ମେଂଟକୁ ମଜବୁର ସରକାର ପାଇଁ ମେଂଟ ବୋଲି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେପିର ମିଶନ ୨୦୧୯ । କଂଗ୍ରେସ ବିରୋଧରେ ବର୍ଷିଲେ ମୋଦି । ଦିଲ୍ଲୀ ରାମଲୀଲା ମଇଦାନରେ ଆୟୋଜିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ଗୋଟିଏ ଆଦର୍ଶକୁ ନେଇ ଆଗକୁ ବଢିଛି ଏବଂ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଭାବରେ ଦେଶରେ ଏକ ସ୍ଥିର ସରକାର ଦେଇ ପାରିଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦି ।

କଂଗ୍ରେସ ଏବଂ ଅନ୍ୟ ବିରୋଧୀଙ୍କ ପାଇଁ ଦେଶର ବିକାଶ କୌଣସି ଗୁରୁତ୍ୱ ରଖେ ନାହିଁ ବୋଲି ଅଭିଯୋଗ କରିଛନ୍ତି ମୋଦି । ସାଧାରଣ ଲୋକଙ୍କ ଉନ୍ନତି ଏବଂ ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର କରୁଥିବା ସବୁ ଉଦ୍ୟମକୁ ବିରୋଧୀ କେବଳ ବିରୋଧ କରି ଆସିଛନ୍ତି । କିନ୍ତୁ ବିଜେପିର ମନ୍ତ୍ର ହେଉଛି ସବକା ସାଥ୍ ସବକା ବିକାଶ ବୋଲି ଦୋହରାଇଛନ୍ତି ମୋଦି ।

ଜଣେ ଲୋକର ଭୟରେ ସମସ୍ତ ବିରୋଧୀ ଏକାଠି ହୋଇ ଏକ ସୁବିଧାବାଦୀ ମେଂଟ ତିଆରି କରିଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୋଦି । ଏହା ସହ ସେ କହିଛନ୍ତି, ଆମେ ମଜଭୁତ୍ ସରକାର ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସେମାନେ ଏକ ମଜବୁର ସରକାର ପାଇଁ ଉଦ୍ୟମ କରୁଛନ୍ତି ବୋଲି ମହାମେଂଟକୁ ନେଇ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଇନ ଓ ବ୍ୟବସ୍ଥା ପ୍ରତି ବିରୋଧୀ କଂଗ୍ରେସର ତିଳେମାତ୍ର ଖାତିର ନଥିବା ମୋଦି କହିଛନ୍ତି । ସେମାନେ ରାଜତନ୍ତ୍ରକୁ ବିଶ୍ୱାସ କରୁଥିବା ବେଳେ ଆମେ ଲୋକତନ୍ତ୍ରକୁ ବିଶ୍ୱାସ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ବୟାନକୁ ନେଇ କଡା ସମାଲୋଚନା କରିଛି କଂଗ୍ରେସ । ବ୍ୟବସ୍ଥାକୁ ସମ୍ମାନ ଦେଉଥିବା କହୁଥିବା ମୋଦି ସରକାର ସିବିଆଇକୁ ନଷ୍ଟ କରିଦେଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଗତ ସାଢେ ୪ବର୍ଷ ମଧ୍ୟରେ ବିଜେପିର ନେତୃତ୍ୱରେ ଦେଶର ଯେଉଁ ବିକାଶ ହୋଇଛି ତାହା ଦେଶବାସୀଙ୍କ ବିଶ୍ୱାସ ଜିତିଛି ବୋଲି ମୋଦି କହିବା ସହ ବୁଥ୍ ସ୍ଥରରେ କାମ କଲେ ପୁଣି ବିଜେପି କ୍ଷମତାକୁ ଆସିବ ବୋଲି ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ବିଜେପିର ସମସ୍ତ ବରିଷ୍ଠ ନେତା ଉପସ୍ଥିତ ରହି କର୍ମୀଙ୍କୁ ଉଦବୋଧନ ଦେଇଥିଲେ