କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଆଉ ଏହି ମାହୋଲକୁ ଆହୁରି ଉଷ୍ମ କରିଛି ଉଭୟ ବିଜେପି ଓ ବିଜେଡି ଶିବିରର ସକ୍ରିୟତା । ଏସବୁ ଭିତରେ ଆସନ୍ତାକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଯାହାକୁ ନେଇ ଦଳର ତୃଣମୂଳସ୍ତରରୁ ଶୀର୍ଷସ୍ତରର ଶିବିର ଚଳଚଞ୍ଚଳ । ନଡ୍ଡାଙ୍କ ଏହି ଗସ୍ତ ୨୦୨୪ ନିର୍ବାଚନ ପୂର୍ବରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । କାରଣ ୨୦୨୪ ନିର୍ବାଚନ ପାଇଁ ପୁଣିଥରେ ମିଶନ ୧୨୦ ଅଭିଯାନ ଆରମ୍ଭ କରିବ ବିଜେପି । ଯେଉଁଥିପାଇଁ ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେବେ ବିଜେପି ମୁଖିଆ । ପଞ୍ଚାୟତସ୍ତରରୁ ଦଳକୁ କିଭଳି ଅଧିକ ସଙ୍ଗଠିତ ଓ ଶକ୍ତିଶାଳୀ କରିହେବ ସେନେଇ ପ୍ରସ୍ତୁତ ହେବ ରୋଡମ୍ୟାପ । ପ୍ରତି ପଞ୍ଚାୟତର ପ୍ରମୁଖ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା । ଆଉ ଏହାପରେ ଦଳର ଛାମୁଆ ନେତାଙ୍କୁ ଭେଟି କବାଟକିଳା ବୈଠକ କରିବେ ନଡ୍ଡା ।
ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ଥିବା ବେଳେ ପୁଣିଥରେ ମିଶନ ୧୨୦ ନାରା ଦେବା ଆରମ୍ଭ କରିଛନ୍ତି ଦଳୀୟ ନେତା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ବିଜେପି ଏବେଠୁ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆଉ ୨୦୨୪ରେ ମଧ୍ୟ ସେହି ପୁରୁଣା ମିଶନକୁ ନେଇ ମୈଦାନକୁ ଓହ୍ଲାଇବ ବିଜେପି । ସେହିଭଳି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେବେ ରାଷ୍ଟ୍ରୀୟ ସଭାପତି । ୨୦୨୪ରେ ରାଜ୍ୟରେ ଦ୍ୱିମୁଖୀ ଲଢେଇ ହେବ ବୋଲି କହିଛନ୍ତି ସମୀର ମହାନ୍ତି । ଦଳର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ପୂର୍ବରୁ ହିଁ ଆରମ୍ଭ କରିଛି । ପଞ୍ଚାୟତସ୍ତରର ପ୍ରମୁଖ, ପଞ୍ଚାୟତ ସହ ପ୍ରମୁଖ ଓ ସହରୀ ପ୍ରମୁଖଙ୍କ ସହ ଆଲୋଚନା କରି ୨୦୨୪ ପାଇଁ ତ୍ରୀଦେବଙ୍କୁ ଅସ୍ତ୍ର ଦେବେ ନଡ୍ଡା ।
କିନ୍ତୁ ସବୁଠୁ ବଡ କଥା ହେଲା ୨୦୧୯ରେ ବିଜେପିର ମିଶନ ୧୨୦ ନାରା ଫେଲ ମାରିଥିଲା । ମିଶନ ୧୨୦ ମାତ୍ର ୨୩ରେ ହିଁ ସୀମିତ ରହିଥିଲା । ବିଜେପି ଓ ମୋଦୀଙ୍କୁ ନେଇ ପୂରା ଦେଶରେ ହାୱା ଥିଲା ସତ କିନ୍ତୁ ଓଡ଼ିଶାରେ ତାହା ପ୍ରତିଫଳିତ ହୋଇନଥିଲା । ସରକାର ଗଢିବା ପାଇଁ ସ୍ୱପ୍ନ ଦେଖିଥିବା ବିଜେପି ୨୩ ଆସନ ପାଇ ବିରୋଧୀ ଆସନରେ ବସିଥିଲା । ଆଉ ଏହାପରେ ରାଜ୍ୟରେ ହୋଇଥିବା ବିଭିନ୍ନ ଉପ-ନିର୍ବାଚନରେ ଦଳ କେବଳ ମାତ୍ ଖାଇନାହିଁ ବରଂ ବାଲେଶ୍ୱର ସଦର ଆସନ ମଧ୍ୟ ହରାଇଛି ।
ଏଭଳି ସ୍ଥିତିରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, କାହିଁକି ପୁଣିଥରେ ଫେଲ ମିଶନ ଉପରେ ଫୋକସ କରୁଛି ବିଜେପି? ୨୦୧୯ରେ ବିଜେପି ଚାଣକ୍ୟ ଶାହାଙ୍କ ଷ୍ଟ୍ରାଟେଜି ଓଡ଼ିଶାରେ ଫେଲ ମାରିଥିଲା । ବିଜେପି ସପକ୍ଷରେ ହାୱା ଥିବା ସତ୍ତେ୍ୱ ମଧ୍ୟ ଏହାର ଫାଇଦା ନେବାରେ ବିଫଳ ହୋଇଥିଲା ଦଳ । ଏହାପରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ମାତ୍ ଖାଇଛି ଦଳ । ତେଣୁ ନଡ୍ଡା ମିଶନ ୧୨୦ ପାଇଁ କଣ ଅଙ୍କ କଷିବେ ଓ ଏହା ରାଜ୍ୟ ବିଜେପି ପାଇଁ କେତେ ଫାଇଦା ଆଣିଦେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।