କିଏ ନେଇଗଲା ଠାକୁରଙ୍କ ବେଶ ? ମହାପ୍ରଭୁଙ୍କ ବେଶ ସରିଲା, ହେଲେ ଚର୍ଚ୍ଚା ଥମିନି, ନାଗାର୍ଜୁନ ବେଶର କଦମ୍ବ ମାଳି ଫଟୋ ଭାଇରାଲ ।

330

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଘୁରି ବୁଲୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ବିଭିନ୍ନ ଅଂଶ । କୋଭିଡ୍ କଟକଣା ଯୋଗୁଁ ସାଧାରଣ ଲୋକ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ, କଟକଣା ଭିତରେ ହୋଇଥିଲା ଏହି ଦୁଲର୍ଭ ବେଶ । ନିଷ୍ପତି ଅନୁସାରେ ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ମ୍ୟୁଜିୟମରେ ରଖାଯାଇଥିଲା । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ କେମିତି ଉଠିଲା ଫଟୋ ଓ ବେଶ ନେଇଗଲା କିଏ ତାକୁ ନେଇ ଉଠିଛି ପ୍ରଶ୍ନ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ବିଭିନ୍ନ ଅଂଶର ଫଟୋ ଏକ ସାଂଘାତିକ କାହାଣୀ କହୁଛି । ପ୍ରଥମେ ସୂର୍ଯ୍ୟ ଚନ୍ଦ୍ର ଗାଏବ ହେବା ଘଟଣାର ତଦନ୍ତ ଚାଲିଥିବା ବେଳେ ବାଘଛାଲ ଓ ଦୁଇଟି ଓଳ ମାଳ ଗାଏବ ହେବା କଥା ଚର୍ଚ୍ଚାକୁ ଆସିଥିଲା । ସେପଟେ ଏବେ ମହାପ୍ରଭୁଙ୍କ କଦମ୍ବ ମାଳି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଅଭିଯୋଗ ହୋଇଛି । ନିଷ୍ପତି ଅନୁସାରେ ବେଶ ଓ ଲାଗି ପରେ ସିଂହାରୀ ସେବକମାନେ ନୀତି ପ୍ରଶାସକ ଓ କମାଣ୍ଡରଙ୍କ ଉପସ୍ଥିତିରେ ଦାଖଲ କରିଥିଲେ । ସଂପୂର୍ଣ୍ଣ ବେଶକୁ ଶ୍ରୀମନ୍ଦିର ଭିତରେ ଥିବା ନିଳାଦ୍ରୀ ମ୍ୟୁଜିୟମରେ ରଖାଯାଇଥିଲା । ମାତ୍ର ଶ୍ରୀମନ୍ଦିର ପ୍ରଶାସନର ହେପାଜତରେ ଥିବା ବେଶର ବିଭିନ୍ନ ଅଂଶ କିଭଳି ଗାଏବ ହେଉଛି ବୋଲି ପ୍ରଶ୍ନ ଉଠିଛି ।

କୋଭିଡ୍ କଟକଣା ଯୋଗୁଁ ବିରଳ ନାଗାର୍ଜୁନ ବେଶର ଦର୍ଶନ କରିପାରିନାହାନ୍ତି ଶ୍ରଦ୍ଧାଳୁ । ତେଣୁ ମନ୍ଦିର ପରିଚାଳନା କମିଟି ଚଳିତବର୍ଷର ଶ୍ରୀଜିଉଙ୍କ ଏହି ବେଶକୁ ସଂରକ୍ଷିତ କରି ରଖିବା ସହ ମ୍ୟୁଜିୟମରେ ପ୍ରଦର୍ଶନ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରକୃତରେ କଣ ହୋଇଛି ତାହାର ତଦନ୍ତ କରାଯାଇ, ଖୁବ୍ ଶୀଘ୍ର ରାଜ୍ୟବାସୀଙ୍କୁ ଅବଗତ କରାଯିବା ଉଚିତ ।