ମିଳିଲା ବାଙ୍କିର ତାଳବସ୍ତପାଟଣା ଗାଁରେ ନିଖୋଜ ଶିଶୁର ମୃତଦେହ ! ବାଡି ପଟ କୁଅରୁ ମୃତଦେହ ମିଳିବା ପରେ ଘନେଇଲା ସନ୍ଦେହ, ଗ୍ରାମବାସୀଙ୍କ ତଦନ୍ତ ଦାବି

41

କନକ ବ୍ୟୁରୋ: ବାଙ୍କୀ ତାଳବସ୍ତପାଟଣା ଗାଁରେ ନିଖୋଜ ଶିଶୁର ମୃତଦେହ ଦେହ ମିଳିବା ପରେ ଘଟଣା ନୂଆ ମୋଡ ନେଇଛି । ଆଜି ଘର ପଛପଟ କୂଅରେ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଛି ।
ତେବେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ପଛରେ ମାଙ୍କଡ ନା କିଏ ଅଛି ତାକୁ ନେଇ ଗାଁରେ ଆରମ୍ଭ ହୋଇଛି ଟୁପୁରୁ ଟାପର । ତେବେ ମୃତଶିଶୁର ମୃତଦେହକୁ ବାଙ୍କି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି । ତେଣୁ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବା କହୁଛନ୍ତି ଗ୍ରାମବାସୀ । ସେପଟେ ବାଙ୍କୀ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ସରିଥିବା ବେଳେ ୨ରୁ ୩ ଘଂଟା ଭିତରେ ପୋଷ୍ଟମର୍ଟମ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି । ଏପଟେ ମୃତ ଶିଶୁର ପରିବାରର କାନ୍ଦ ବୋବାଲି ପଡିଛି । ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

ତାଳବସ୍ତ ଗାଁ ପାଟଣାସାହିରେ ଗତକାଲି ସକାଳୁ ଶିଶୁକୁ ଉଠାଇ ନେଇଥିଲା ମାଙ୍କଡ । ଗତକାଲି ସକାଳ ପ୍ରାୟ ୬ଟା ବେଳେ ଘରେ ସମସ୍ତେ ଶୋଇଥିବା ସମୟରେ ମାଙ୍କଡ଼ ଆସି ୧୫ ଦିନର ପିଲାକୁ ନେଇ ଉଭାନ୍ ହୋଇଯାଇଥିଲା । ଏହାପରେ ଶିଶୁଟିର ବାପା ଓ ମାଆ ହନୁମାନଙ୍କ ନିକଟରେ ଅଧିଆ ପଡିଥିଲେ । ତେବେ ବନବିଭାଗ କର୍ମଚାରୀଙ୍କ ସହ ଗାଁ ଲୋକେ ଖୋଜାଖୋଜି ଜାରି ରଖିଥିଲେ ।

କିନ୍ତୁ ଶିଶୁଟିର କୌଣସି ପତା ମିଳିନଥିଲା । ଗତକାଲି ବନ ବିଭାଗ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ରାତିରେ ବନ୍ଦ ରଖାଯାଇଥିଲା । ଆଜି ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ଘଟଣାସ୍ଥଳକୁ ଯିବାର ଥିଲା । ହେଲେ ଏହାରି ଭିତରେ ଶିଶୁର ମୃତଦେହ ମିଳିଛି ଘର ବାରି ପଟ କୂଅରୁ ।