ସାତକୋଶିଆରୁ ହଜିଗଲେ ଘଡିଆଳ କୁମ୍ଭୀର : ୨୮ ଖବରରୁ ପ୍ରାୟ ୨୦ ଘଡିଆଳଙ୍କ ମିଳୁନି ପତ୍ତା ; ସ୍ୱତନ୍ତ୍ର ଟିମ୍ ଗଠନ କରି ଛୁଆ ଖୋଜୁଛି ବନବିଭାଗ ଟିମ

131

କନକ ବ୍ୟୁରୋ : ସାତକୋଶିଆରୁ ହଜିଗଲେ ଘଡିଆଳ କୁମ୍ଭୀର । ସୂଚନା ଅନୁସାରେ ସାତକୋଶିଆର ମହାନଦୀରେ ବଳଦମଡା ନିକଟ ପ୍ରାକୃତିକ ବାସସ୍ଥଳୀରେ ୨୮ଟି ଘଡିଆଳ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଖବର ଅନୁସାରେ ଏଥିରୁ ବର୍ତମାନ ପ୍ରାୟ ୨୦ ଘଡିଆଳଙ୍କ ମିଳୁନି ପତ୍ତା ଏହି କୁମ୍ଭୀର ଛୁଆ ଗୁଡିକର ଗତିବିଧି ଉପରେ ନଜର ରଖିବାକୁ ସିସି କ୍ୟାମେରା ଲାଗିବା ପରେ ବି, କୁଆଡେ ଗଲେ କୁମ୍ଭୀର ଛୁଆ ଜଣାପଡୁନି । ହଜିଯାଇଥିବା ଘଡିଆଳ ଛୁଆକୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ବନବିଭାଗ ।

ପ୍ରାୟ ୨ ଦଶନ୍ଧୀ ପରେ ମହାନଦୀ ସାତକୋଶିଆ ଗଣ୍ଡ ବଳଦମଡ଼ା ଠାରେ ଥିବା ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଇଥିଲେ ପ୍ରାୟ ୨୮ ଗଡ଼ିଆଳ ଶାବକ । ମା କୁମ୍ଭୀର ପିଠିରେ ଶାବକ ଖେଳୁଥିବାର ଦୃଶ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଦେଢ଼ ଫୁଟ ଲମ୍ବ ବିଶିଷ୍ଟ ଶାବକଗୁଡିକୁ ସୁରକ୍ଷା ଦେବା ପାଇଁ ଅଂଟା ଭିଡିଥିଲା ବନ ବିଭାଗ । ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିଲା । ଆଶା କରାଯାଉଥିଲା, କୁମ୍ଭୀର ଛୁଆଙ୍କୁ ଟ୍ରାକ କରି ସେମାନଙ୍କୁ ନଜର ରଖାଯାଇପାରିବ । ହେଲେ, ଏବେ ପାଂଚ ସାତଟି ଶାବକ ଦେଖା ଯାଉଥିବା ବେଳେ ପାଖାପାଖି ୨୦ ଶାବକଙ୍କ ମିଳୁନି ପତା । ବନ ବିଭାଗ ପକ୍ଷରୁ ଖୋଜା ଖୋଜି କରିବା ପରେ ବି ସେମାନଙ୍କୁ ଠାବ କରାଯାଇନାହିଁ ।

କୁମ୍ଭୀର ଛୁଆଗୁଡିକ ମହାନଦୀ ଭିତରକୁ ଚାଲି ଯାଇଥିବା ସଂଦେହ କରାଯାଉଛି । ନଦୀର ପ୍ରଖର ସୁଅରେ କାଳେ ଏହି ଛୁଆଗୁଡକ ଭାସି ଯାଇଥିବେ, ସେଥିପାଇଁ ବୌଦ୍ଧ ଓ ନୟାଗଡ଼ ବନଖଣ୍ଡରେ ଅଧିକ ଟିମ୍ ଗଠନ କରି ପେଟ୍ରୋଲିଂ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ବଳଦାମଡ଼ା ଠାରୁ ଉପରମୁଣ୍ଡ ଆଠମଲ୍ଲିକ ଓ ତଳମୁଣ୍ଡ ବଡ଼ମୂଳ ପର୍ଯ୍ୟନ୍ତ ନଦୀର ପାଶ୍ୱର୍ରେ ଥିବା ନାଳଗୁଡିକୁ ଡ୍ରୋନ୍ କ୍ୟାମେରା ଦ୍ୱାରା ମ୍ୟାପିଂ କରାଯିବାର ବ୍ୟବସ୍ଥା କରାଯାଇଛି । ସାତକୋଶିଆ ଅଭୟାରଣ୍ୟର ମହାନଦୀ କୂଳରେ ଥିବା ଗାଁଗୁଡକରେ ସଚେତନ କାର୍ଯ୍ୟକ୍ରମ କରିବା ସହ କୁମ୍ଭୀର ଛୁଆକୁ ଠାବ କଲେ ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରିଛି ବନବିଭାଗ ।

ଆଗକୁ ନଦୀରେ ପ୍ରବଳ ବନ୍ୟାଜଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଭଳି କଠିନ ପରିସ୍ଥିତିରେ କୁମ୍ଭୀର ଛୁଆଙ୍କୁ କିପରି ସୁରକ୍ଷା ଦେଇହେବ, ସେଥିପାଇଁ ଆଲୋଚନା କରିଛନ୍ତି ୬ ବନଖଣ୍ଡର ଅଧିକାରୀ ।