ଦିଲ୍ଲୀରେ ଓଡ଼ିଆ ଯବାନ ନିଖୋଜ ! ଅଢେଇ ମାସ ହେଲା ମିଳୁନି ଯବାନ ପ୍ରଶାନ୍ତଙ୍କ ପତା, ବୃଦ୍ଧ ବାପା-ମା’ଙ୍କ ଆଖିରୁ ଶୁଖୁନି ଲୁହ ।

40

କନକ ବ୍ୟୁରୋ : ଛୁଟିରୁ କାମକୁ ଯିବା ପରେ ଦୀର୍ଘ ଅଢେଇ ମାସ ହେଲା ନିଖୋଜ ଅଛନ୍ତି ଯବାନ । ନିଆଳିରୁ ଦିଲ୍ଲୀ ଯାଇଥିବା ଆର୍ମି ଯବାନ ପ୍ରଶାନ୍ତ ଭୋଇଙ୍କ କୌଣସି ପତା ମିଳୁନାହିଁ । ସେନା ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ ପରେ ବି ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ । ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ବୁଢା ବାପା-ମାଆ ।

ପୁଅ ପାଇଁ ବାପା ମାଆଙ୍କ ବୁକୁ ଫଟା କାନ୍ଦ । ଦୀର୍ଘ ଅଢେଇ ମାସ ହେଲା ନିଖୋଜ ଅଛି ଘରର ରୋଜଗାରିଆ ପୁଅ । କଟକ ଜିଲ୍ଲା ପ୍ରଧାନ ସାହି ନିଆଳି ଠାରେ ପ୍ରଶାନ୍ତ ଭୋଇଙ୍କ ଘର । ଗତ ୫ ବର୍ଷ ହେଲା ସେନା ବାହିନୀରେ ଚାକିରି କରୁଥିବା ପ୍ର୍ରଶାନ୍ତ ଛୁଟିରେ ଗାଁକୁ ଆସିଥିଲେ । ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ତାରିଖ ଯାଏଁ ଛୁଟି ନେଇ ଆସିଥିଲେ ପ୍ରଶାନ୍ତ । କଟକରୁ ଦିଲ୍ଲୀ ପାଇଁ ତାଙ୍କର ଜଣେ ସାଙ୍ଗ ଅଜୟ ମହାପାତ୍ରଙ୍କ ସହ ଯାଇଥିଲେ । କିନ୍ତୁ ୟୁନିଟରେ ସେମାନେ ପହଂଚିବା ନେଇ ଖବର ଦେବାକୁ ଯାହା ଅଜୟ ମହାପାତ୍ରଙ୍କ ପରିବାର ଲୋକଙ୍କୁ କହିଲେ, ତାପରଠୁ ଏହି ଗରିବ ପରିବାରର ଭୋକଶୋଷ ମରିଯାଇଛି  ଆଉ ଆଖିରୁ ଶୁଖୁନି ଲୁହ ।

ସେଦିନରୁ ନିଖୋଜ ହୋଇଯାଇଛନ୍ତି ପ୍ରଶାନ୍ତ ଭୋଇ । ଏନେଇ ସେନା ବାହିନୀ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବି ନିରାଶ ପରିବାର ଲୋକେ । ପୁଅକୁ ଫେରି ପାଇବା ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା ଓ କର୍କଟ ରୋଗ ଆକ୍ରାନ୍ତ ମାଆ । ଯବାନ ପ୍ରଶାନ୍ତ ଭୋଇ ଏବେ କେଉଁଠି? ତାଙ୍କ ସହକର୍ମୀ ଅଜୟ ମହାପାତ୍ରଙ୍କ ପାଖରେ ଅଛି କି କୌଣସି ସୂଚନା ? ନିଖୋଜ ଯବାନଙ୍କୁ ଠାବ କରିବା ନେଇ କାହିଁକି ଚୁପ୍ ପ୍ରଶାସନ ? ଏମିତି ଅନେକ ପ୍ରଶ୍ନ ଜାଲ ଭିତରେ ଛନ୍ଦି ହୋଇ ପଡିଛନ୍ତି ପ୍ରଶାନ୍ତଙ୍କ ପରିବାର ।