ଅନୈତିକ ସମ୍ପର୍କ ଦେଖିଦେବାରୁ ଭାଣିଜୀକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ସଂପର୍କୀୟ ମାମୁଁ ଓ ମାଇଁ । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଚାଂଚଲ୍ୟକର ଖୁଲାସା ।

678

କନକ ବ୍ୟୁରୋ : ଅବୈଧ ସମ୍ପର୍କ ଦେଖିଦେଲା ବୋଲି ନାବାଳିକାକୁ କରାଯାଇଛି ହତ୍ୟା । ବାଲେଶ୍ୱର ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାରେ ଏଭଳି ଚାଂଚଲ୍ୟକର ଖୁଲାସା କରିଛି ପୁଲିସ । ବସ୍ତା ଏସଡିପିଓଙ୍କ କହିବା ଅନୁଯାୟୀ, ପଡିଶାଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଅନୈତିକ ସଂପର୍କ ଦେଖିଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ ସୂଚନା ଦେଇଛି ।

ସମ୍ପର୍କ କ’ଣ, ଅନୈତିକ ସମ୍ପର୍କ କ’ଣ, ଜାଣିନଥିବା କୁନି ପିଲାଟି ବଳିପଡ଼ିଗଲା । ଅନୈତିକ ସମ୍ପର୍କର ପରିଣାମ ଏତେ ଭୟଙ୍କର ହୋଇପାରେ, ତାହା ଭାବିଲା ବେଳକୁ ଦେହଥରି ଯାଉଛି । ବାଲେଶ୍ୱର ବାଲିଆପାଳ ସୁନ୍ଦୁର କୋଇଲିର ୭ ବର୍ଷର ନିଖୋଜ ଝିଅ ବିଷ୍ଣୁ ପ୍ରିୟାର ଠିକଣା ସିନା ମିଳିଲା, ହେଲେ ଠାବ ହେଲା ବେଳକୁ ତାର ଜୀବନ ଚାଲିଯାଇଥିଲା । ଅତି ନିର୍ମମ ଭାବେ କୁନି ଝିଅକୁ ମାରି ଦେଇଥିଲା ଦୁବୃର୍ତ୍ତ । ଆଉ ଏହି ହତ୍ୟାକାଣ୍ଡ ଘଟିଥିଲା ଅବୈଧ ସଂପର୍କ ପାଇଁ ।

ସମ୍ପର୍କୀୟ ମାମୁ-ମାଇଁଙ୍କ ଅନୈତିକ ସମ୍ପର୍କ ଦେଖି ଦେବାରୁ ନାବାଳିକାକୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ପୁଲିସ କହିଛି । ମାମୁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହେବା ପରେ ହତ୍ୟା ସନ୍ଦେହ କରିଥିଲା ପୁଲିସ । କାରଣ ନାବାଳିକାର ମୃତଦେବର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । ବେକରେ ଗଭୀର କ୍ଷତ ରହିଛି । ବେକକୁ ଧାରୁଆ ଅସ୍ତ୍ରରେ କଟା ଯାଇଛି । ଏହାକୁ ନେଇ ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦୁରକୋଇଲି ଗାଁରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ତା’ ମାମୁଁ ଘରେ ରହି ପାଠ ପଢୁଥିଲା । ଗତ ୧୧ ତାରିଖ ଅର୍ଥାତ୍ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ବିଷ୍ଣୁପ୍ରିୟାର କୌଣସି ସନ୍ଧାନ ପାଇନଥିଲେ, ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଖୋଜାଖୋଜି କରିବା ବେଳେ ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ମୃତ ନାବାଳିକା ବାପାଙ୍କ ଅଭିଯୋଗ ଆଧାରରେ ସୁନ୍ଦୁରକୋଇଲି ଗାଁର ନଟ ସାହୁ ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ନୟାଗଡର ପରୀ ଏବଂ ଯାଜପୁରର ପିହୁକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବାଲେଶ୍ୱର ବାଲିଆପାଳର ବିଷ୍ଣୁପ୍ରୀୟାଙ୍କ ମୃତ୍ୟୁ ଏବେ ରାଜ୍ୟରେ ଶିଶୁଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ।