‘ମିସାଇଲ ମ୍ୟାନ୍’ ଏପିଜେ ଅବଦୁଲ କଲାମଙ୍କୁ ସଲାମ

151

କନକ ବ୍ୟୁରୋ : ‘କାହାରିକୁ ହରାଇବା ଭାରି ସହଜ ହେଲେ କାହାରିକୁ ଜିତିବା ଭାରି କଷ୍ଟ’ । ସତରେ ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଜିତିନେଇଥିଲା ସାରା ଦେଶବାସୀଙ୍କ ମନ । ଖାଲି ଦେଶ ନୁହେଁ ବରଂ ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ଭାରତର ମିସାଇଲ ମ୍ୟାନ୍ ଏପିଜେ ଅବଦୁଲ କଲାମ୍ ।

ଅନେକ ଅମୃତର ସନ୍ତାନ ଏ ଦେଶ ମାତୃକାକୁ କରିଛନ୍ତି ଗରିମାମୟ । ନିଜ କର୍ତ୍ତବ୍ୟନିଷ୍ଠା , ଓ କଠିନ ପରିଶ୍ରମରେ ରଚିଯାଇଛନ୍ତି ଇତିହାସର ସ୍ୱର୍ଣ୍ଣିମ ପୃଷ୍ଠା । ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତର ଏକାଦଶ ରାଷ୍ଟ୍ରପତି ଅବୁଲ ପକିର ଜୈନାଲୁବ୍ଦିନ୍ ଅବଦୁଲ କଲାମ । ତାମିଲନାଡୁ ରାମେଶ୍ୱରମ୍ରେ ୧୯୩୧ ମସହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗ ଚଳାଇବା ସହ ଖବରକଗଜ ବିକ୍ରି କରିବା କାମ କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । କଲାମ ସବୁବେଳେ କହୁଥିଲେ: ସ୍ୱପ୍ନ ଏପରି ଦେଖନି ଯାହା ଶୋଇ କରି ଦେଖାଯାଏ ବରଂ ଏପରି ସ୍ୱପ୍ନ ଦେଖ ଯାହାପାଇଁ ନିଦ ହଜିଯିବ । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।

ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ୍ କଲେଜରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)ରେ ସିନିୟର ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟଣ୍ଟ ଭାବେ ୧୯୫୮ରେ ଯୋଗ ଦେଇଥିଲେ । ଏହି କ୍ରମରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ଇସ୍ରୋ ସହ । ସେବେଠୁ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ।୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ ଏସଏଲଭି -୩ ସ୍ପେସ୍ ଭେଇକିଲ । ଦେଶକୁ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ । ଏହା ପରେ ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସବୁଠୁ ବଡ କଥା ହେଲେ କ୍ଷମତା ତାଙ୍କ ସରଳ ଜୀବନକୁ ପ୍ରଭାବିତ କରିପାରିନଥିଲା ।କାର୍ଯ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସଟେ ବ୍ୟତୀତ ଆଉ କିଛି ନଥିଲା । ଯାହା ସମସ୍ତଙ୍କୁ ଏକ ଶିକ୍ଷା ଦେଇଥିଲା ।

ତାଙ୍କର ଅତୁଳନୀୟ କାର୍ଯ୍ୟ ପାଇଁ ତାଙ୍କୁ ୧୯୯୭ରେ ଭାରତ ରତ୍ୱ ସମ୍ମାନରେ ସମ୍ମାନିତ କରାଗଲା । ଏହାପରେ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ସମ୍ମାନ ଓ ଅହୁରି ଅନେକ । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟ୍ରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଜି ତାଙ୍କର ପାର୍ଥିବ ଶରୀର ନାହିଁ ସତ ହେଲେ ପ୍ରତ୍ୟେକଙ୍କ ହୃଦୟରେ ସେ ସବୁବେଳେ ଜୀବନ୍ତ ।