କନକ ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଆଗୁଆ ପାଦ। ଦମ୍ ଦେଖାଇଲା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ବର ଲଞ୍ଚପ୍ୟାଡ଼ ଓ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ବୁଧବାର ଅପରାହ୍ନରେ ପରୀକ୍ଷା ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ । ଅପରାହ୍ନ ୪ଟା ୨୫ ମିନିଟରେ ଏହି ପରୀକ୍ଷଣ କରାଯାଇଛି । ନୂତନ ଭାବେ ସୋଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଥିବା ପୃଥ୍ୱୀ-୨ ମିସାଇଲକୁ ଅବଦୁଲ କାଲାମ ଦ୍ୱୀପରୁ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଇଣ୍ଟରସେପ୍ଟର ମିସାଇଲ ସଫଳତାର ସହିତ ଲକ୍ଷ୍ୟଭେଦ କରିପାରିଛି । ପ୍ରଥମେ ଅପରାହ୍ନ ୪ଟା ୨୫ ମିନିଟରେ ୩ନଂ ଲଞ୍ଚପ୍ୟାଡ଼ରୁ ମୋଡ଼ିଫାଏଡ଼ ପୃଥ୍ୱୀ-୨ ମିସାଇଲକୁ ଉତକ୍ଷେପଣ କରାଯାଇଥିଲା । ଏହି ମିସାଇଲକୁ ଚିହ୍ନଟକରି ପରେ ପରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟସେପ୍ଟର ସ୍ୱୟଂ ଚାଳିତ ଭାବେ ଉତକ୍ଷେପଣ ହୋଇ ବଙ୍ଗୋପସାଗର ସମୁଦ୍ର ଭିତରେ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

ଏହି ପରୀକ୍ଷଣ ପାଇଁ ୩ନମ୍ବର ଲଞ୍ଚପ୍ୟାଡର ସାଢେ ୩ କିଲୋମିଟର ଦୂରତା ମଧ୍ୟରେ ଥିବା ଜୟଦେବକସବା, ଭିମପୁର, ସାହାଜାନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ମୋଟ ୧୦୫୮୧ ଜଣଙ୍କୁ ଭିମପୁର, ବର୍ଦ୍ଧନପୁର,କଳାମାଟିଆ ଓ ନିଧିପଡା ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା । ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ସେମାନଙ୍କୁ ପ୍ରାପ୍ତ ବୟସ୍କଙ୍କ ପାଇଁ ୩ ଶହ ଓ ନାବାଳକଙ୍କ ପାଇଁ ଦେଢ଼ ଶହ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପ୍ରତିରକ୍ଷା ବିଭାଗ ଘୋଷଣା କରିଥିଲା । ହେଲେ ବ୍ୟାଙ୍କ୍ ମାଧ୍ୟମରେ ଟଙ୍କା ପାଇବାରେ ବିଳମ୍ବ ହେବାରୁ କେତେକ ସ୍ଥାନରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।