କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିବ ଅଭିମୁଖେ ଋଷ ସେନା ଯେତେ ଆଗକୁ ବଢୁଛି, ଆକ୍ରମଣକୁ ସେତିକି ତୀବ୍ର କରୁଛି । ମିସାଇଲ ଓ ତୋପ ମାଡରେ ପୂରା ସହରର ବଡ ବଡ ବିଲ୍ଡିଂକୁ ମାଟିରେ ମିଶାଉଛି ଋଷ ସେନା । ଲାଗୁଛି ସତେ ଯେପରି ଏହି ଲଢେଇ ଖୁବ୍ ଶୀଘ୍ର ଶେଷ କରିବାକୁ ଚାହୁଁଛି ଋଷ । ସେଥିପାଇଁ ତ ସର୍ବାଧିକ ସେନା କିବ ଏବେ ପଠାଉଛି ଋଷ । କିଲୋମିଟର କିଲୋମିଟର ବ୍ୟାପୀ ଋଷ ସେନା କିବକୁ ଅକ୍ତିଆର କରିବାକୁ ଆଗକୁ ବଢୁଛନ୍ତି । ଯେଉଁଥିରେ ଅତ୍ୟାଧୁନିକ ତୋପ ଓ ଟ୍ୟାଙ୍କ ରହିଛି ।

Advertisment

ମଙ୍ଗଳବାର ଋଷ ସେନା କିବ-ଖାରକିବ  ସମେତ ୟୁକ୍ରେନର ପ୍ରମୁଖ ସହରରେ ବିଧ୍ୱଂସକାରୀ ଆକ୍ରମଣ କରିଛି । ଯେଉଁଥିପାଇଁ ୟୁକ୍ରେନର ବିଭିନ୍ନ ସହରରେ ବିପଦର ସାଇରନ ବାଜୁଥିବାର ଶୁଣିବାକୁ ମିଳୁଛି । ଖାରକିବ ସହରରେ ଥିବା ସରକାରୀ କାର୍ଯ୍ୟାଳୟକୁ ମିଜାଇଲରେ ଉଡାଇ ଦେଇଛି ଋଷ । ବାସ୍ କିଛି କ୍ଷଣ ମଧ୍ୟରେ ୟୁକ୍ରେନର ସରକାରୀ କାର୍ଯ୍ୟାଳୟକୁ ମାଟିରେ ମିଶାଇ ଦେଇଛି ଋଷ ସେନା ।

କେବଳ ଏତିକି ନୁହେଁ ୟୁକ୍ରେନର ସୈନ୍ୟ ଶିବିର ଉପରେ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହିଁ ଋଷ । ଆଉ ଋଷ ସେନାର ଏହି ଆକ୍ରମଣରେ ୟୁକ୍ରେନର ୭୦ ଯବାନଙ୍କ ମୃତ୍ୟୁ ହୋଇଛି । ଏପରିକି ୟୁକ୍ରେନ ସେନା ଯେପରି ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇ ନପାରିବେ ସେଥିପାଇଁ ଋଷ ସେନା ବିଭିନ୍ନ ସହରର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ କରିଛି । ତେବେ ଏଭଳି ଭୟାନକ ଯୁଦ୍ଧ ଭିତରେ ବି ୟୁକ୍ରେନ ଏଯାଏଁ ପଛଘୁଞ୍ଚା ଦେଇନି । ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ଏହି ଯୁଦ୍ଧରେ ଋଷ ସେନା ଅଧିକ କ୍ଷତି ସହିଛି । କାରଣ ଏଯାବତ୍ ୨୯ଟି ଯୁଦ୍ଧ ବିମାନ, ୨୯ଟି ହେଲିକପ୍ଟର, ୧୯୮ ଟ୍ୟାଙ୍କ୍, ୩୦୫ ଗାଡି, ୭୭ଟି ତୋପ, ୨ଟି ଜାହାଜ ନଷ୍ଟ କରିଛି ୟୁକ୍ରେନ୍ ସେନା । ସେହିଭଳି ୟୁକ୍ରେନ୍ ସେନା ସହ ଲଢି ଅନେକ ଋଷ ଯବାନ ପ୍ରାଣ ହରାଇଥିବା ହଜାର ହଜାର ଯବାନ ଗୁରୁତର ଆହତ ହୋଇଛନ୍ତି । ଏପରିକି ୨୦୦ ଋଷ ଯବାନଙ୍କୁ ଧରିଥିବା ନେଇ ଦାବି କରିଛି ୟୁକ୍ରେନ୍ ।