କଣାସରେ ଅବହେଳିତ ସରକାରୀ ବିଦ୍ୟାଳୟ । ସ୍କୁଲ କୋଠ ଚାରିପଟେ ନାହିଁ ପାଚେରୀ, ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ଗାଈ ଗୁହାଳ

କଣାସରେ ଅବହେଳିତ ସରକାରୀ ବିଦ୍ୟାଳୟ । ସ୍କୁଲ କୋଠ ଚାରିପଟେ ନାହିଁ ପାଚେରୀ, ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନରେ ଗାଈ ଗୁହାଳ

କନକ ବ୍ୟୁରୋ : ଏହି ସ୍କୁଲର ଚିତ୍ର ଦେଖିଲେ ଆପଣ ସନ୍ଦେହରେ ପଡିବେ । ଏହା କେଉଁ ସ୍ଥାନ । ଗାଈ ଗୁହାଳ କି ପଥର ଖଳା । ନା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳ । ମୁଖ୍ୟ ଫାଟକର ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ହେଉଛି ପୁରୀ କଣାସ ବ୍ଲକ ଗୌଡପାଟଣା ଗାଁର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ୨୦୦୮ ମାସିହାରୁ ମଲାଗୁଣୀ ନଦୀ ପଠାରେ ତିଆରି ହୋଇଥିବା ବିଦ୍ୟାଳୟଟିରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ୩୯ ଛାତ୍ରଛାତ୍ରୀ ପଢୁଛନ୍ତି ।

ଦୁଇ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି, କିନ୍ତୁ ପରିତାପର ବିଷୟ ଶିକ୍ଷାନୁଷ୍ଠାନଟି ସରକାରୀ ରେକର୍ଡ ପତ୍ରରେ ନାହିଁ । ସ୍କୁଲରେ ଦୁଇଟି ଶୌଚାଳୟ ଥିଲେ ବି ପାଣିର ବ୍ୟବସ୍ଥା ନଥିବାରୁ ପିଲାଏ ବ୍ୟବହାର କରିପାରୁନାହାନ୍ତି । ପାଚେରୀ ନଥିବାରୁ ସ୍ଥାନୀୟ ଲୋକଙ୍କ ଗାଈ ଗୁହାଳରୁ ଆସୁଥିବା ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ତେବେ ବିଦ୍ୟାଳୟର ନିଜସ୍ୱ ସ୍ଥାନ ନଥିବାରୁ ନୀରବ ଦ୍ରଷ୍ଟା ସାଜିଛି ବ୍ଲକ ଶିକ୍ଷା ବିଭାଗ । ସେପଟେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

ସରକାରୀ କାଗଜରେ ସ୍କୁଲଟି ଅନ୍ୟ ସ୍ଥାନରେ ଥିବା ବେଳେ ନଦୀପଠାରେ ତିଆରି ହେଲା କେମିତି?
ମଲାଗୁଣି ନଦୀ ପଠାରେ କୋଠା ତିଆରି ପାଇଁ ଅନୁମତି ଦେଲା କିଏ?
ଦୁର୍ଭାଗ୍ୟ ବଶତଃ ଯଦି ଅଘଟଣ ଘଟେ ଦାୟୀ ହେବ କିଏ?
ଏତେ ସବୁ ପ୍ରଶ୍ନ ଭିତରେ ବିଭାଗୀୟ ଅଧିକାରୀ କିଛି ଜାଣିନଥିବା ସଫେଇ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe