କନକ ବ୍ୟୁରୋ : ରାୟଗଡାର ଜାଙ୍ଗିଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । କୋଠା ଅଛି, ଆବଶ୍ୟକ ସରଞ୍ଜାମ ରହିଛି, ହେଲେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନାହାଁନ୍ତି ଡାକ୍ତର । ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ସବୁଦିନ ଆସୁନଥିବା ଅଭିଯୋଗ ହୋଇଛି । ତାଙ୍କ ଇଚ୍ଛା ହେଲେ ଆସନ୍ତି ନ ହେଲେ ନାହିଁ । ଯଦି ଆସନ୍ତି ତେବେ ଦିନକୁ ମାତ୍ର ୨ ଘଂଟା ପାଇଁ । ତାହାପୁଣି ସକାଳ ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ । ଦିନ ୧୨ଟା ପରେ ସ୍ୱାସ୍ଥ୍ର୍ୟକେନ୍ଦ୍ରରେ ଝୁଲୁଛି ତାଲା । ସେଇଠୁ ଆରମ୍ଭ ହୋଇଥାଏ ଲୋକଙ୍କ ଦୁଃଖ । ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସା ନ ପାଇ ଫେରୁଛନ୍ତି । ଆଉ କିଛି ରୋଗୀ ୩୦ କିଲୋମିଟର ଦୂର ସ୍ଥାନକୁ ଯାଇ ଖର୍ଚ୍ଚାନ୍ତ ହୋଇଥାନ୍ତି । ବହୁ ଗରିବ ରୋଗୀ ଚିକିତ୍ସା ନ ପାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Advertisment

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ଓ ଷ୍ଟାଫ ରହିବା ପାଇଁ କ୍ୱାର୍ଟର ସହ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ରହିଛି । ହେଲେ ମୋବାଇଲ ନେଟୱର୍କ ନଥିବାରୁ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ରହୁନାହାଁନ୍ତି । ଯାହା ଫଳରେ ସରକାରୀ କ୍ୱାଟରଗୁଡିକ ଭାଙ୍ଗି ରୁଜି ଯିବା ସହ ଭୂତକୋଠିରେ ପରିଣତ ହୋଇଛି । ବାରମ୍ବାର ଅଭିଯୋଗ ହେବା ପରେ ଏବେ ମିଳିଛି ପ୍ରତିଶ୍ରୁତି ।

ପ୍ରାୟ ୭ଟି ପଞ୍ଚାୟତର ଲୋକ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦେଇ ସମାଧାନ କରାଯିବା ଜରୁରୀ ହୋଇପଡିଛି ।