କୁକୁର ଖାଉଛି ରକ୍ତ ପ୍ୟାକେଟ୍ । ତାଳଚେର ଡାକ୍ତରଖାନାରେ ବଡ ଅବ୍ୟବସ୍ଥା 

102

କନକ ବ୍ୟୁରୋ : ଡାକ୍ତରଖାନା ପରିସରରେ କୁକୁର ଖାଉଛି ରକ୍ତ ପ୍ୟାକେଟ୍ । ଏଭଳି ଏକ ଅଭାନୀୟ ଘଟଣା ଆସିଛି ତାଳଚେରର ଏକ ଡାକ୍ତରଖାନାରୁ । ତାଳଚେର ଉପଖଣ୍ଡ ଡାକ୍ତରଖାନା ନାନା ସମସ୍ୟା ନେଇ ସର୍ବଦା ଚର୍ଚ୍ଚାର ବିଷୟ ହୋଇ ରହିଛି । କେତେବେଳେ ରୋଗୀଙ୍କୁ ସାଲାଇନ୍ ବା ରକ୍ତ ଦେବା ପରେ ଶଯ୍ୟାରେ ପଡିରହୁଛି ଖାଲି ବୋତଲ ଆଉ କେତେବେଳେ ରୋଗୀଙ୍କୁ ଖାଇବାକୁ ନଦେଇ ବିଲି କରିବା ଘଟଣା, ପୁଣି ରୋଗୀଙ୍କ ବେଡରେ କୁକୁର ଶୋଇଥିବା ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ବେଳେ ଆଜି ଡାକ୍ତରଖାନା ପରିଶରରେ କୁକୁର ରକ୍ତ ପ୍ୟାକେଟ୍ ଖାଉଥିବା ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିଛି ।

ସୂଚନା ମୁତାବକ, ଗତକାଲି ତାଳଚେର ଡାକ୍ତଖାନା ପଛ ପାଖରେ ଥିବା ଆବର୍ଜନା କୁଣ୍ଡରେ ଏକ କୁକୁର ରକ୍ତ ବ୍ୟାଗରୁ ରକ୍ତ ଖାଉଥିବା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ପରିଜନ ଏହା ଦେଖି ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ହେଲେ ସଫେଇ କର୍ମଚାରୀ ଜଣକ ଅଭିଯୋଗକାରୀଙ୍କୁ କହିଲେ, ଏହା ଆମ କାମ ନୁହେଁ ଏହା ନର୍ସମାନଙ୍କ କାମ । ସେମାନେ ରୋଗୀଙ୍କ ଠାରେ ଲଗାଉଛନ୍ତି ଆଉ ରକ୍ତ ବ୍ୟାଗ୍ ରଖିବା ଦାୟିତ୍ୱ ବି ତାଙ୍କର ବୋଲି କହିଥିଲେ । ପରେ ଉକ୍ତ ଘଟଣା ବାବଦରେ ହସ୍ପିଟାଲ ପରିଚାଳକଙ୍କ ଠାରୁ ଏସଡିଏମଓଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା । ଏଭଳି ଅଭାନୀୟ ଘଟଣା ଶୁଣିବା ମାତ୍ରେ ଏସଡିଏମଓ କର୍ଣ୍ଣରାମ ମହନ୍ତ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ହେଲେ ଘଟଣାସ୍ଥଳକୁ ଯିବାବେଳକୁ କୁକୁର ସେଠାରୁ ରକ୍ତ ଖାଇ ପଳାଇ ଯାଇଥିବା ସେ କହିଛନ୍ତି । ଏପଟେ ପ୍ରଶ୍ନ ଉଠୁଛି ଅଳିଆଗଦାକୁ ରକ୍ତ ପ୍ୟାକେଟ୍ ଗଲା କେମିତି? ଅନେକ ସମୟରେ ରକ୍ତ ଅଭାବରୁ ଲୋକେ କଲବଲ ହେଉଥିବା ବେଳେ ହସ୍ପିଟାଲର ଆବର୍ଜନା ସ୍ଥାନରେ ରକ୍ତ ପ୍ୟାକେଟ୍ ଫୋପାଡିଲା କିଏ? ଏହାକୁ ନେଇ ଉଚିତ ତଦନ୍ତ ହେବା ଦରକାର ।