ପଦ୍ମପୁର ଡାକ୍ତରଖାନାର ଅବ୍ୟବସ୍ଥା । ରୂପାନ୍ତରିଣ କାମ ଚାଲିଥିବାରୁ ଚକ୍ଷୁ ବିଭାଗର ୨ଟି କୋଠରୀରେ ଚାଲିଛି ଚିକିତ୍ସା

52

କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାର ରୂପାନ୍ତରିଣ କାମ ଚାଲିଛି । ହେଲେ ନିର୍ମାଣ କାମ ଆଳରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ଚିକିତ୍ସାଳୟର ରୂପାନ୍ତରିଣ କାମ ଚାଲିଥିବାରୁ ସବୁ ରୋଗୀଙ୍କୁ ଚକ୍ଷୁ ବିଭାଗର ୨ଟି କୋଠରୀରେ ରଖି ଚିକିତ୍ସା କରାଯାଉଛି । ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗି ଦୁଇଟି କୋଠରୀରେ ରହି ଚିକିତ୍ସିତ ହେଉଥିବାରୁ ସଂକ୍ରମଣର ଭୟ ରହିଛି । ସେହିପରି ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନଥିବାରୁ ବାଧ୍ୟ ହୋଇ ରୋଗୀ ଘରୋଇ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଅଫିସ ଯେଉଁ କୋଠାରେ ଚାଲିଛି ତାହା ଏକଦା ପଦ୍ମପୁର ରାଜାଙ୍କ କଚେରୀ ରହିଥିଲା । ଦେଶ ସ୍ୱାଧିନ ହେବା ପରେ ୧୯୭୬ ମସିହାରେ ତକ୍ରାଳୀନ ରାଜା ବୀର ବିକ୍ରମାଦିତ୍ୟ ସିଂ ବରିହା ସରକାରଙ୍କୁ ହସ୍ପିଟାଲ ପାଇଁ ସେହି ଜମି ଓ କୋଠା ଦାନ କରିଥିଲେ । ସେହି ସମୟରେ ରାଜା ୩ଟି ସର୍ତ ରଖିଥିଲେ ।
– ସ୍ୱର୍ଗତ ପତ୍ନୀ ସରଳା କୁମାରୀଙ୍କ ନାଁରେ ଡାକ୍ତରଖାନା ନାମିତ ହେବ
– ରାଜପରିବାର ଲୋକଙ୍କୁ ବିନା ମୂଲ୍ୟରେ ଚିକିତ୍ସା ଯୋଗାଇଦିଆଯିବ
– ଦାନ ଜମି କେବଳ ଡାକ୍ତରଖାନା ଉଦେଶ୍ୟରେ ବ୍ୟବହାର ହେବ
କିନ୍ତୁ ଡାକ୍ତରଖାନା ଗେଟରେ ସରଳା କୁମାରୀଙ୍କ ନାମ ଲେଖିବା ବ୍ୟତିତ କୌଣସି ସର୍ତପାଳନ କରାଯାଇ ନାହିଁ ବୋଲି ରାଜ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ପଦ୍ମପୁର ଉପଖଣ୍ଡ ସମେତ ପଡୋଶୀ ଛତିଶଗଡ ରାଜ୍ୟର ଲୋକମାନେ ନିର୍ଭର କରିଥାନ୍ତି । ଏବେ ରୁପାନ୍ତରିଣ କାମ ଚାଲିଥିବା ବେଳେ ହସ୍ପିଟାଲର ନାମକୁ ନେଇ ନୂଆ ବିବାଦ ଦେଖା ଦେଇଛି ।