ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଗଞ୍ଜାମ ଖଲ୍ଲିକୋଟ ସିଧାପଲ୍ଲୀ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା

87

କନକ ବ୍ୟୁରୋ : ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଗାଁ ଗହଳିରେ ପିଲାଙ୍କ ଶିକ୍ଷାଦାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ କିଛି ସ୍ଥାନରେ ଏହା ପିଲାଙ୍କ କାମରେ ଆସପାରୁନି । ସେହିଭଳି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସିଧାପଲ୍ଲୀ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ସ୍କୁଲ । ହେଲେ ନା ଅଛି ଶ୍ରେଣୀ ଗୃହ ନା ଅଛନ୍ତି ଆବଶ୍ୟକ ଶିକ୍ଷକ । ସ୍କୁଲରେ ପ୍ରଥମରୁରୁ ଅଷ୍ଟମ ଯାଏଁ ପିଲା ପାଠ ପଢୁଥିବା ବେଳେ ୨୧୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । କିନ୍ତୁ ଶ୍ରେଣୀ ଗୃହ ମାତ୍ର ୪ଟି । ଯାହା ଫଳରେ ଗୋଟିଏ ଶ୍ରେଣୀ ଘରେ ଦୁଇଟି ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି । ଅନ୍ୟ ପିଲାମାନେ ଶ୍ରେଣୀ ଅଭାବରୁ ସ୍କୁଲ ପରିସରରେ ଥିବା ଗଛ ମୂଳେ ହେଉ କି ବାରଣ୍ଡାରେ ବସି ପଢୁଛନ୍ତି । ବିଦ୍ୟାଳୟରେ ଗୋଦାମ ଘର ନଥିବାରୁ ଶ୍ରେଣୀ ଘରକୁ ବି ଗୋଦାମ ଘର କାମ ଚଳାଇଦିଆଯାଉଛି । ବିିଭିନ୍ନ ସମସ୍ୟା ଭିତରେ ବିଦ୍ୟାଳୟ ଚାଲିଥିବା ବେଳେ ଖୁବଶିଘ୍ର ସମାଧାନ କରିବାକୁ ଦାବି ହୋଇଛି ।

ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ କରାଯାଉଥିବା ।ବେଳେ ଏହି ବିଦ୍ୟାଳୟରେ ସ୍ଥିତି ପୂର୍ବ ଭଳି ରହିଛି । ସିଧାପଲ୍ଲୀ ଉଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ପିଲାଙ୍କ ପାଠ ପଢାରେ ଏକ ବଡ ସମସ୍ୟା ସୃଷ୍ଟି କରିଛି । ପିଲାମାନେ ସଠିକ୍ ଭାବେ ଶିକ୍ଷା ପାଇପାରୁନହାନ୍ତି । ତେବେ ସ୍କୁଲର ସମସ୍ୟା ନେଇ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ମାନେ ଉଚ କତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଅଜି ପର୍ଯ୍ୟନ୍ତ କାହାର ଦୃଷ୍ଟି ପଡୁ ନଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।

ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଖଲ୍ଲିକୋଟରେ ଶିକ୍ଷାର ବିକଳ ଚିତ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥା କୁ ଉପହାସ କରୁଛି । ତେବେ ଦେଖିବାକୁ ବାକି ରହିଲା କେବେ ଏହି ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ସମସ୍ୟା ଓ ଶିକ୍ଷକ ସମସ୍ୟା ସମାଧାନ ହେଉଛି ।