ଦୀପବଳୀରେ ଚାରିଆଡୁ ଆସିଲା ଅଘଟଣ ଖବର । ଭଦ୍ରକ ଧାମନଗର ବାଣ ଫୁଟାଇ ୪ ଶିଶୁ ଆହତ

243

କନକ ବ୍ୟୁରୋ : ଦୀପାବଳୀରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଆସିଛି ଅଘଟଣର ଖବର । ବାଣ ଫୁଟାଇବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ବେଳେ ଶତାଧିକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଶହେରୁ ଅଧିକ ଆହତ ଚିକିତ୍ସା ପାଇଁ ଆସିଥିବା ଜଣାପଡ଼ିଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।

ସେହିପରି କଟକ ହାତିପୋଖରି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ହାବେଣୀ ବାଣ ପଡିଯିବାରୁ ଚାଳ ଘରେ ନିଆଁ ଲାଗି ଯାଇଥିଲା । ହୁ ହୁ ଘର ଜଳୁଥିବା ବେଳେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣା ପଡିଛି ।

ବାଣଫୁଟାଇ ସାରା ରାଜ୍ୟ ଦୀପାବଳି ପାଳନ କରୁଥିବା ବେଳେ ଭଦ୍ରକରୁ ଆସିଲା ଅଘଟଣର ଖବର । ଧାମନଗର ବନ୍ତ ସରାମରା ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ଜିତାନଗାରେ ବାଣ ଫୁଟାଇବା ବେଳେ ଚାରି ଶିଶୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।

ଯାଜପୁର ବ୍ୟାସନଗରରେ ଦୀପାବଳୀରେ ବିଭିନ୍ନ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି । ବାଇକ ଦୁର୍ଘଟଣା ସହ ବାଣରେ ପୋଡି ହୋଇ ତିନି ଶିଶୁ, ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ବ୍ୟାସନଗର ଓଭରବ୍ରିଜ ନିକଟରେ ବାଣ ପଡି ଦୁଇ ବଖରା ଘର ଜଳିଯାଇଛି । ସେହିପରି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି ।

ଦୀପାବଳୀରେ ଅଗ୍ନିକାଣ୍ଡ । ସ୍କାଏ ଲଣ୍ଠନ ଖସିପଡି ଟେଣ୍ଟ ହାସଉରେ ନିଆଁ ଲାଗିଯାଇଛି । ବାରିପଦା ଲାଲବଜାର ସ୍ଥିତ ଏକ ଟେଣ୍ଟ ହାଉସରେ ଏଭଳି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆକୁ ଆୟତ କରିବାରେ ସକ୍ଷମ ହୋଇଛି ।

ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ । ଏହି ବିସ୍ଫୋରଣ ଯୋଗୁଁ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଫଳରେ ଦୁଇ ବଖରାଘର ସଂପୂର୍ଣ୍ଣ ପୋଡ଼ି ଜଳି ପାଉଁଶ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଳା ମହାକାଳପଡ଼ା ବ୍ଲକ ଏକଲପୁର ଗାଁରେ ଘଟିଛି ଏହି ଅଘଟଣ । ଗାଁର ଗୋପିନାଥ ମହାରଣାଙ୍କ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ଫାଟିବାରୁ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି ।