ବାହାଘରର ୬ ମାସ ପରେ ମଥାରୁ ଲିଭିଗଲା ସିନ୍ଦୂର । ଗୁଡି ସୂତା କାଟିଦେଲା ସ୍ୱାମୀଙ୍କ ବେକ । ସ୍ତ୍ରୀ ଆଗରେ ଚାଲିଗଲେ ସ୍ୱାମୀ ।

1,765

କନକ ବ୍ୟୁରୋ: ଦିନେ ସମ୍ପର୍କର ସୂତାରେ ଛନ୍ଦାଛନ୍ଦି ହୋଇ ଆରମ୍ଭ ହୋଇଥିଲା ନୂଆ ସଂସାର । ସ୍ୱାମୀ-ସ୍ତ୍ରୀ ସାଜି ଆରମ୍ଭ କରିଥିଲେ ନୂଆ ଜୀବନ । କାନ୍ଥରୁ ଲିଭିନି ବାହାଘର ତାରିଖ କି ଲିଭିନି ଦୁହିଁଙ୍କ ନାଁ । ସସ୍ମିତାଙ୍କ ପାଖରେ ଲେଖାଅଛି ଜୟନ୍ତଙ୍କ ନାଁ । ହେଲେ ସତ ସତିକା ଜୀବନରେ ସସ୍ମିତାଙ୍କ ପାଖରେ ଆଉ ନାହାନ୍ତି ଜୟନ୍ତ । ଗୁଡି ସୂତା ଲିଭାଇ ଦେଇଛି ତାଙ୍କ ମଥାର ସିନ୍ଦୂର । ଆଉ ସ୍ତ୍ରୀର ଆଖି ସାମ୍ନାରେ ସବୁଦିନ ପାଇଁ ଆଖି ବୁଜି ଦେଇଛି ସ୍ୱାମୀ । ଓଃ । ଏ ଛାତିଥରା ଘଟଣା ଶୁଣି କାନକୁ ବିଶ୍ୱାସ କରିହେଉନି ।

ଗୁଡି ସୂତାରେ ବେକକଟି ଚାଲିଯାଇଛି ଯୁବକଙ୍କ ଜୀବନ । କଟକ ପୀରବଜାର ଅଞ୍ଚଳରେ ଗୁଡି ସୂତାରେ ବେକ କଟି ଭୈରୀପୁରର ଜୟନ୍ତ ସାମଲଙ୍କ ମୃତ୍ୟୁ ହୋଇଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଯାଉଥିବା ବେଳେ ବେକରେ ଗୁଡି ସୂତା ଲାଗିଯାଇଥିଲା । ତାପରେ ହଠାତ୍ ଗାଡ଼ିରୁ ପଡ଼ିଯାଇଥିଲେ ସ୍ୱାମୀ ଜୟନ୍ତ। ବେକ କାଟିବା ସହ ପ୍ରବଳ ରକ୍ତ ସ୍ରାବ ବି ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଗୁଡିସୂତା ଦୁର୍ଘଟଣାରେ ସବୁଠାରୁ ଦୁଃଖଦ ଦିଗଟି ହେଉଛି ସ୍ତ୍ରୀ ଆଗରେ ଆଖି ବୁଜିଦେଲା ସ୍ୱାମୀ । ସ୍ୱାମୀସ୍ତ୍ରୀ ଖୁସି କରି ବାଟରେ ଯାଉଥିବା ବେଳେ ମୃତ୍ୟୁ ଯେ ଏମିତି ଆସିବ ଆଉ ତାଙ୍କ ଠାରୁ ତାଙ୍କ ସ୍ୱାମୀକୁ ନେଇଯିବ ତାହା କେବେ କଳ୍ପନା କରି ନଥିଲେ ସ୍ତ୍ରୀ । ଗତ ୬ ମାସ ହେବ ଦୁହିଁଙ୍କ ବିବାହ ହୋଇଥିଲା । ଦୁହେଁ ଦୁହିଁଙ୍କୁ ପ୍ରେମ କରି ବିବାହ କରିଥିଲେ । ହେଲେ ନିଷ୍ଠୁର ସମୟ ଜୀବନକୁ ଉପଭୋଗ କରିବାକୁ ବି ସୁଯୋଗଟେ ଦେଲାନି । ଛମାସ ତଳେ ଛନ୍ଦିହୋଇଥିବା ସମ୍ପର୍କକୁ ଗୁଡି ସୂଚନାରେ ୬ ମାସ ପରେ ଛିଡାଇ ଦେଲା । ଏପଟେ ପୁଅର ଆକସ୍ମିକ ମୃତ୍ୟୁ ଖବର ଗାଁରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବିଶ୍ୱାସ କରିପାରୁନାହାନ୍ତି ପରିବାର । ସତରେ ଏମିତି ଅଘଟଣ କାହା ସହ ନଘଟୁ ।