ଗୁଡ଼ି ମାଞ୍ଜାସୂତା ନେଇଗଲା ଯୁବକଙ୍କ ଜୀବନ : ଗୁଡି ଉଡାଉଥିବା ବେଳେ ହଠାତ ବାଇକ ଆରୋହୀଙ୍କ ବେକରେ ଗୁଡାଇ ହୋଇଗଲା ସୂତା

Advertisment
ଗୁଡ଼ି ମାଞ୍ଜାସୂତା ନେଇଗଲା ଯୁବକଙ୍କ ଜୀବନ : ଗୁଡି ଉଡାଉଥିବା ବେଳେ ହଠାତ ବାଇକ ଆରୋହୀଙ୍କ ବେକରେ ଗୁଡାଇ ହୋଇଗଲା ସୂତା

କନକ ବ୍ୟୁରୋ : ଗୁଡି ଉଡ଼ାଇବା ହେଲା କାଳ । ଗୁଡି ମଞ୍ଜା ସୁତାରେ କଟି ବାଇକରେ ରାସ୍ତାରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି କଟକ ଜଗତପୁର ଅଂଚଳରେ । ମୃତ ଯୁବକ ହେଉଛନ୍ତି ଜଗତପୁର ଥାନା ଭୟରପୁର ଗ୍ରାମର କୈଳାସ ସାମଲଙ୍କ ପୁଅ ଜୟନ୍ତ ସାମଲ । ରାଜମିସ୍ତ୍ରୀ ଓ ସେଣ୍ଟ୍ରିଂ ମିସ୍ତ୍ରୀ କାମ କରୁଥିବା ଭୟରପୁରର ଜୟନ୍ତ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବାଇକ୍‌ରେ ପତ୍ନୀଙ୍କୁ ନେଇ କଟକର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ତେବେ ପୀରବଜ଼ାରର ପରିବର୍ତ୍ତନ ଡ୍ରେସ୍‌ ଦୋକାନ ସମ୍ମୁଖ ରାସ୍ତାରେ ଏକ ଗୁଡ଼ିର ମାଞ୍ଜାସୂତା ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା । ସୂତାଟି ଅତି ଶକ୍ତ ଓ ଧାରୁଆ ଥିବାରୁ ସେଥିରେ ଜୟନ୍ତଙ୍କ ବେକ କଟିଯାଇଥିଲା ।

ଏତେ ତୀବ୍ର ଗତିରେ ଏହା ହୋଇଥିଲା ଯେ ଜୟନ୍ତ ଭାରସାମ୍ୟ ହରାଇଥିଲେ ଓ ସ୍ବାମୀ-ସ୍ତ୍ରୀ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜୟନ୍ତଙ୍କୁ ଉଦ୍ଧାର କରି ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜଗତପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍‌କୁ ପଠାଇବା ସହ ମୃତକଙ୍କ ପରିବାରର ଅଭିଯୋଗ ପରେ ଗୁଡ଼ି ଉଡ଼ାଉଥିବା ଯୁବକଙ୍କୁ ଖୋଜାଖୋଜି କରିଛି । ଦୁର୍ଘଟଣା ଘଟାଇଥିବା‌ ଗୁଡ଼ିର ମାଞ୍ଜାସୂତାକୁ ପୁଲିସ ଜବତ କରିବା‌ ସହ ପୀରବଜାର ଖ୍ବାଜାନଗର ଅଞ୍ଚଳର ଜଣେ ନାବାଳକକୁ ଡାକି ପଚରାଉଚରା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ ଗତ ୭ବର୍ଷ ଭିତରେ କଟକ ସହରରେ ଗୁଡ଼ି ସୂତାରେ ବେକ କଟି ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe