କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ଗୋଟିଏ ଖବର ଚର୍ଚ୍ଚାରେ ରହିଛି, ଯେଉଁ ଖବରକୁ ନେଇ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି । କଟକ ବଡ ମେଡିକାଲର ଜଣେ ଡାକ୍ତର ରୋଗୀଙ୍କ ସହ କେମିତି ମହାପାପ କରିଛନ୍ତି, ତାର ସତ ସାମନାକୁ ଆସିଛି ।

Advertisment

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବାବେଳେ ଏସସିବିର ଡାକ୍ତର ଦିଲବାଗ ସିଂହ ପୂରା ଡାକ୍ତର ସମାଜ ମୁହଁରେ କଳା ବୋଳି ଦେଇଛନ୍ତି । ଚିକିତ୍ସା ପାଇଁ ପ୍ରତିଦିନ ବିଶ୍ୱାସର ସହ ହଜାର ହଜାର ରୋଗୀ ବଡ ମେଡିକାଲକୁ ଧାଇଁ ଆସୁଥିବାବେଳେ ଡାକ୍ତର ଦିଲବାଗ ବିଶ୍ୱାସରେ ବିଷ ଦେଇଛନ୍ତି । ସେବା କରିବା ବାହାନାରେ ରୋଗୀଙ୍କୁ ଯୌନ ଶୋଷଣ କରିଛନ୍ତି । ଉଦେଶ୍ୟମୂଳକ ଭାବେ ରବିବାରରେ ରୋଗୀଙ୍କୁ ଡାକି ଯୌନ ନିର୍ୟାତନା ଦେଇଛନ୍ତି । ବଡ କଥା ହେଉଛି ମହିଳାଙ୍କ ଚିକିତ୍ସା ପାଇଁ ଥିବା ଏସଓପିକୁ ପାଳନ କରିନାହାନ୍ତି ଅଭିଯୁକ୍ତି ଡାକ୍ତର । ପ୍ରାଥମିକ ତଦନ୍ତରୁ ଏକଥା ସ୍ପଷ୍ଟ ହେବା ପରେ ଅଭିଯୁକ୍ତ ଡାକ୍ତରର ପାପପେଡି ଖୋଲିଛି କଟକ ପୁଲିସ ।

ଏସସିବିରେ ଜଣେ ଡାକ୍ତରଙ୍କ ଏଭଳି କାରନାମା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ତଦନ୍ତ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରୋଗୀଙ୍କୁ ଦୁଷ୍କର୍ମ ଘଟଣାରେ ତଦନ୍ତ କରିଛି ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଡିଏମଇଟି ସନ୍ତୋଷ ମିଶ୍ର, ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂସୁ ମିଶ୍ର ଯାଇ ଏସସିବି ସୁପରିଟେଣ୍ଡେଣ୍ଟ ଓ ଏସସିବି ମେଡିକାଲ କଲେଜ ଡିନ ପ୍ରିନସିପାଲଙ୍କ ସହ ଆଲୋଚନା କରିଛନ୍ତି । କାର୍ଡିଓଲୋଜି ବିଭାଗକୁ ଯାଇ ପଚରାଉଚୁରା କରିଛନ୍ତି ।

କଟକ ବଡ଼ଡାକ୍ତରଖାନା ହୃଦାରୋଗ ବିଭାଗକୁ ଗତ ରବିବାର ଜଣେ ପିଜି ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ର ତାଙ୍କ ମା’ ଓ ମାଇଁଙ୍କୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ଡାକ୍ତର ଦିଲବାଗ ସେମାନଙ୍କର ପରୀକ୍ଷା ଆଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଡାକ୍ତର ଦିଲବାଗ ସିଂହ ଠାକୁରଙ୍କୁ ଗିରଫ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି, ଦିଲବାଗ ପ୍ରଥମ ଥର ପାଇଁ ଏଭଳି କାଣ୍ଡ କରିଛନ୍ତି, ନା ଆଗରୁ ଏଭଳି କରିଥିଲେ? ଏପର୍ଯ୍ୟନ୍ତ କାହିଁକି ମୁହଁ ଖୋଲି ନାହାନ୍ତି ଏସସିବି କର୍ତ୍ତୁପକ୍ଷ? ରୋଗୀଙ୍କୁ କିଏ ଦେବ ସୁରକ୍ଷା ?