ଦାମୀ ଗାଡିରେ ଆସିଲେ, ରାତି ଅଧରେ ଗୁହାଳରୁ ଛେଳି ଚୋରି କରି ଚାଲିଗଲେ । ଲୁଟେରାଙ୍କ ଟେର ପାଉନାହିଁ ପୋଲିସ ।

831

କନକ ବ୍ୟୁରୋ : ଚୋରିର ନୂଆ ତରିକା । ସ୍କର୍ପିଓ ଗାଡ଼ିରେ ଆସୁଛନ୍ତି, ମୁଖ୍ୟ ରାସ୍ତା କଡ଼ରେ ଥିବା ଛେଳି ଗୁହାଳରୁ ଛେଳି ଚୋରି କରି ଫେରାର ହୋଇଯାଉଛନ୍ତି ଲୁଟେରା । ୧୫ ଦିନ ହେବ ଏଭଳି ଘଟଣା ଗଂଜାମ ଜଗନ୍ନାଥପ୍ରସାଦ ଅଚଂଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାରମ୍ବାର ଅଭିଯୋଗ ପରେ ଲୁଟେରାଙ୍କ ଟେର ପାଉନାହିଁ ପୁଲିସ । ରାତି ହେଲେ ଗୁହାଳ ଜଗି ବସୁଛି ଚାଷୀ ।

ବନ୍ଧୁକ ମୁନରେ ଛେଳି ଚୋରି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ, ବଡଗାଁରେ ଘଟିଛି ଏଭଳି ଘଟଣା । ଗାଁର ଉଦୟ ଗଉଡଙ୍କ ଗୁହାଳରୁ ୬୦ରୁ ଅଧିକ ଛେଳି ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ । ବୁଧବାର ବିଳମ୍ବିତ ରାତିରେ ୪ ଜଣ ଦୁବୃର୍ତ ପଶୁପାଳକ ଉଦୟଙ୍କ ଗୁହାଳେ ପଶିଥିଲେ । ଏହି ସମୟରେ ଉଦୟ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଏବଂ ବେକରେ ମାରଣାସ୍ତ୍ର ଲଗାଇ ଛେଳି ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଦାମୀ ଗାଡିରେ ଆସିଲେ.. । ୫ ମିନିଟରେ ଗୁହାଳ ଖାଲି କଲେ । ସ୍କର୍ପିଓ ଗାଡିରେ ଆସିଥିଲେ ଛେଳି ଚୋର । ଉଦୟଙ୍କ ଗୁହାଳରୁ ଦୁର୍ବୃତ ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ପିଛା କରଥିଲେ । ଗାଁ ଠାରୁ କିଛି ଦୂର ଯିବା ପରେ ଦୁର୍ବୃତମାନେ ଏକ ଜଙ୍ଗଲ ନିକଟରେ ସ୍କର୍ପିଓ ଗାଡିକୁ ଛାଡି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ଗ୍ରାମବାସୀ ସ୍କର୍ପିଓଟିକୁ ଜବତ କରି ଜଗନ୍ନାଥପ୍ରସାଦ ପୁଲିସର ଜିମା ଦେଇଛନ୍ତି । ଜବତ ଗାଡିଟି ଖୋର୍ଦ୍ଧା ଅଂଚଳର ବୋଲି ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି, ହେଲେ ଏଯାଏଁ କାହାରି ଟେର ପାଇନାହିଁ ।

ଗତ ୨ ସପ୍ତାହ ହେବ ଏହି ଅଞ୍ଚଳରେ ଛେଳି ଚୋର ମାତିଛନ୍ତି । ୧୫ ଦିନରେ ପ୍ରାୟ ୧୫୦ ଶହ ଛେଳି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ୪ ଦିନ ପୂର୍ବରୁ ଅଢ଼େଇ ଗାଁରୁ ୪୦ରୁ ଉର୍ଦ୍ଧ ଛେଳି ଚୋରି ହୋଇଥିବା ବେଳେ ୭ ଦିନ ତଳେ ମଙ୍ଗଳପୁର ଗାଁରୁ ୨୨ଟି ଛେଳି ଚୋରି ଘଟଣା ସାମ୍ନାକୁ ଆସିଥିଲା ।