ଭୁବନେଶ୍ୱରରେ ଆଉ ଏକ ମ୍ୟାଜିକ ପେନ୍ ଠକେଇ । ବ୍ୟାଙ୍କ କର୍ମଚାରୀଙ୍କ ପରିଚୟ ଦେଇ ଟାୟାର ସୋ’ରୁମ ମାଲିକଙ୍କଠୁ ଠକି ନେଲେ ୭୬ହଜାର ଟଙ୍କା

ସିସିଟିଭି ଫୁଟେଜ ଆଧାରରେ ପୁଲିସର ଛାନଭିନ

497

କନକ ବ୍ୟୁରୋ: ମ୍ୟାଜିକ ପେନରେ ୭୬ ହଜାର ଟଙ୍କା ଠକେଇ ଅଭିଯୋଗ । ପାହାଳରେ ଥିବା ଟାୟାର ସୋରୁମ ମାଲିକଙ୍କୁ ମ୍ୟାଜିକ ପେନରେ ଚୁନା ଲଗାଇ ଫେରାର ହୋଇଯାଇଛି ଠକ । ଠକ ଜଣକ ନିଜକୁ ବ୍ୟାଙ୍କରୁ ଆସିଥିବା କହି ୧୦ ଲକ୍ଷର ଲୋନ କରାଇଦେବାକୁ କହିଥିଲା । ଆଉ ସେଥିପାଇଁ ସମସ୍ତ କାଗଜପତ୍ର ବି ନେଇଥିଲା । ତାପରେ ଠକ ଜଣକ ଆରମ୍ଭ କରିଥିଲା ତାର ଅପରେସନ । ବ୍ୟାଙ୍କର ପ୍ରୋସେସିଙ୍ଗ ଫିସ ବାବଦକୁ ୧୪୯ ଟଙ୍କାର ଚେକ ଦେବାକୁ କହିଥିଲା ଠକ ।

ଆଉ ଚେକରେ ଦସ୍ତଖତ ସମୟରେ , ସେ ସାଙ୍ଗରେ ଆଣିଥିବା ପେନରେ ଦସ୍ତଖତ କରିବାକୁ କହିଥିଲା । ହେଲେ ପରବର୍ତୀ ସମୟରେ ଚେକରେ ଉଲ୍ଲେଖ ଥିବା ଟଙ୍କାକୁ ଲିଭାଇ ସେଥିରେ ୭୬ ହଜାର ଟଙ୍କା ଉଲ୍ଲେଖ କରି ଟଙ୍କା ଉଠାଇ ନେଇଥିଲା । ଏହି ଧୁର୍ତ ଠକର ସିସିଟିଭି ଫୁଟେଜକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି । ଠକ ଜଣକ ଏକାଧିକ ଲୋକଙ୍କୁ ସମାନ ଦିନରେ ଠକେଇ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ସବୁଠୁ ବଡକଥା ହେଉଛି କାହା ଆକାଉଂଟରେ କେତେଟଙ୍କା ରହିଛି, ଠକ ଜଣକ ଜାଣୁଛି କେମିତି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଛି । ତେବେ ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତ ରହିଥିବା ପୁଲିସ ସନ୍ଦେହ କରୁଛି ।