ବ୍ରହ୍ମପୁର ଖଜୁରିଆ ଗାଁରେ ଗୁଳିକାଣ୍ଡ : ସଂଗବଦ୍ଧ ଭାବେ ୫ ଜଣ ଦୁର୍ବୃତ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ଗୁଳି କଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟାଇଥିବା ସୂଚନା; ଗୁୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ ଆହତ ବ୍ୟକ୍ତି

166

କନକ ବ୍ୟୁରୋ : ବ୍ରହ୍ମପୁରରେ ପୁଣି ଫୁଟିଲା ଗୁଳି । ସହର ଉପକଣ୍ଠ ଖଜୁରିଆ ଗାଁରେ ରବିବାର ରାତିରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଗୌରହରି ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କର ଅଣ୍ଟାରେ ଗୋଟିଏ ଗୁଳି ବାଜିଛି । ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋସାଇଁ ନୂଆଗାଁ ଥାନା ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ନୂଆ ଖଜୁରିଆ ବିଲସାହିରେ ରହୁଥିବା ଗୌରହରି ଓ ତାଙ୍କ ଭାଇ ବନବାସୀ ପ୍ରଧାନ ଘର ବାହାରେ ବସିଥିଲେ । ଏହି ସମୟରେ ବୁଡ଼ୁ ନାମକ ଜଣେ ଯୁବକ ଓ ତାଙ୍କର ୪ଜଣ ସହଯୋଗୀ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ । କୌଣସି ଏକ ପୂର୍ବ ଶତ୍ରୁତାକୁ ନେଇ ବୁଡ଼ୁ ଓ ଅନ୍ୟମାନେ ଗୌରହରିଙ୍କୁ ଆକ୍ରମଣ କରିଥିଲେ। ସମସ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ବୁଡ଼ୁ ଏକ ମାଉଜର୍‌ ଧରିଥିବା ବେଳେ ୩ ରାଉଣ୍ଡ୍‌ ଗୁଳି ଫୁଟାଇଥିଲା ବୋଲି ଭାଇ ବନବାସୀ ଅଭିଯୋଗ କରିଛନ୍ତି । ବନବାସୀ ଜୀବନ ବିକଳରେ ଧାଇଁ ପଳାଇଥିବା ବେଳେ ଗୌରହରିଙ୍କ ଅଣ୍ଟାରେ ଗୋଟିଏ ଗୁଳି ବାଜିଥିଲା । ଘଟଣା ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୌରହରିଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବୁଡ଼ୁ ସମେତ ୪ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ଟାଉନ୍ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ଓ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌ ବଡ଼ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବାରୁ ସେଠାରେ ମଧ୍ୟ ପୁଲିସ ମୁତୟନ କରାଯାଇଛି ।