କନକ ବ୍ୟୁରୋ: ଥଣ୍ଡା ପାନୀୟ ଦେଇ ଫଳ ବ୍ୟବସାୟଙ୍କୁ ଲୁଟିନେଲେ । ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ ଠାରେ ଘଟିଛି ଏପରି ଚାଂଚଲ୍ୟକର ଘଟଣା । ଲୁଟର ଶିକାର ହୋଇଛନ୍ତି ଫଳ ବ୍ୟବସାୟୀ ଦୁଇ ଭାଇ ଦୀପକ ବାରିକ ଓ ପ୍ରକାଶ ବାରିକ । ଗୁରୁତର ଅବସ୍ଥାରେ ୨ ଭାଇଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତି କରାଯାଇଛି । ସୂଚନା ଅନୁସାରେ, ରବିବାର ଅପରାହ୍ନରେ ୨ ଯୁବକ ଫଳ କିଣିବା ପାଇଁ ଦୀପକ ଓ ପ୍ରକାଶଙ୍କ ଦୋକାନକୁ ଯାଇଥିଲେ । ସମ୍ପର୍କୀୟଙ୍କ ବ୍ରତଘର ପାଇଁ ଫଳ ଆବଶ୍ୟକ କହି ବିଭିନ୍ନ ଫଳ ପେଟିରେ ପ୍ୟାକ କରାଇଥିଲେ । ଅଳ୍ପ ଦୂରରେ ବ୍ରତଘର ହେଉଥିବା କହି ସେଠାରେ ଫଳ ପଂହଚିବା ଏବଂ ସେଠାରେ ଟଙ୍କା ପ୍ରଦାନ କରିବାକୁ କହିଥିଲେ ଦୁଇ ଦୁର୍ବୃତ । ଆଉ ବିଶ୍ୱାସର ସହ ଦୁଇ ଭାଇ ସେମାନେ ଆଣି ଦେଇଥିବା ଥଣ୍ଡା ପାନୀୟ ପିଇଥିଲେ । ତେବେ ପ୍ରକାଶ ଦୋକାନରେ ରହିଥିବା ବେଳେ ଦୀପକ ଫଳପେଟି ନେଇ ଲୁଟେରାଙ୍କ ସହ ଟଙ୍କା ଆଣିବାକୁ ଯାଇଥିଲେ । ତେବେ ନିଶାଯୁକ୍ତ ପାନୀୟ ଯୋଗୁଁ ପ୍ରକାଶ ଦୋକାନ ପାଖରେ ଥିବା ହନୁମାନ ମନ୍ଦିର ନିକଟରେ ପଡି ରହିଥିବା ବେଳେ ଷ୍ଟେସନବଜାର ପାଖରେ ଦୀପକଙ୍କୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ ଲୋକେ । ଦୁଇ ଭାଇଙ୍କ ଠାରୁ ମୋଟର ସାଇକେଲ, ୨ଟି ମୋବାଇଲ, ମନିପର୍ସ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ସେପଟେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ସହ ଲୁଟ ହୋଇଥିବା ସାମଗ୍ରୀ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।