ଝରକା ଭାଙ୍ଗି ଘରେ ପଶିଲେ ଲୁଟେରା : ବୃଦ୍ଧାଙ୍କୁ ହାଣି ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଫେରାର ଦୁର୍ବୃତ୍ତ

419

କନକ ବ୍ୟୁରୋ : ବୃଦ୍ଧାଙ୍କୁ ହାଣି ଘରୁ ୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ବାହାନଗା ବ୍ଲକ ଜୁଣିଆ ରାମ ମନ୍ଦିର ନିକଟ ରାଜକିଶୋର ଗୁପ୍ତାଙ୍କ ଘରେ ତାଙ୍କ ମାଆ ଶାନ୍ତିଲତା ଏକୁଟିଆ ଥିବା ବେଳେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘରକୁ ପଶିଥିଲେ । ଶାନ୍ତିଲତାଙ୍କୁ ଭୟଭୀତ କରିବ ସହ ତାଙ୍କୁ ବାନ୍ଧି ଦେଇ ୮ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରିଥିଲେ ।

ତେବେ ଶାନ୍ତିଲତା ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ହାଣି ପକାଇବା ସହ ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ରାଜକିଶୋର ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ବିଳମ୍ବିତ ରାତିରେ ବାଲେଶ୍ୱର ରେଳଷ୍ଟେସନକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରି ପଶି ଏପରି କାଣ୍ଡ ଭିଆଇଛନ୍ତି । ଭୋରରୁ ରାଜକିଶୋର ଘରକୁ ଫେରିବା ପରେ ଝରକା, କବାଟ ସବୁ ଭଙ୍ଗା ହୋଇଥିବା ବେଳେ ତାଙ୍କ ମାଆଙ୍କୁ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ।

ପଡୋଶୀଙ୍କ ସହାୟତାରେ ପ୍ରଥମେ ଗୋପାଳପୁର ଡାକ୍ତରଖାନା ନେଇଥିଲେ । ପରେ ଶାନ୍ତିଲତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରୁଛି ।