ବରଗଡ ସୋହେଲା ଥାନା ଅଂଚଳରେ ବଡ ଧରଣର ଡକାୟତି: ସୁନା ବେପାରୀଙ୍କୁ ଲୁହା ରଡରେ ଆକ୍ରମଣ କରି ଲୁଟିନେଲେ ୮ଶହ ଗ୍ରାମ ସୁନା ସହ ୨ ଲକ୍ଷରୁ ଅଧିକ ଟଙ୍କା

ସେପଟେ ଗଂଜାମ ହିଞ୍ଜିଳିରେ ଘରେ ପଶି ୨୦ ତୋଳା ସୁନା ଚୋରିକରିନେଲେ ଦୁର୍ବୃତ୍ତ । ପୁଲିସ ତଦନ୍ତ ଜାରି

144

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରୁ ବଡ ଧରଣର ଚୋରି ଅଭିଯୋଗ । ହିଞ୍ଜିଳିର ଗୀତା ଭବନ ସାମ୍ନା ଅଭିମନ୍ୟୁ ଦଲାଇଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି । ଅଭିମନ୍ୟୁଙ୍କ ବାସଭବନରୁ ୨୦ ତୋଳା ସୁନା ଓ ୧୦ ତୋଳା ରୁପା ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି  ।

ସେପଟେ ବରଗଡରେ ସୁନା ବେପାରୀ କର୍ମଚାରୀଙ୍କୁ ଆକ୍ରମଣ କରି ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ । ଛତିଶଗଡର ସୁନା ବେପାରୀଙ୍କ କର୍ମଚାରୀଙ୍କ ଠାରୁ ୮ଶହ ଗ୍ରାମ ସୁନା ଗହଣା ଓ ୨ଲ କ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ସୋହେଲା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାୟପୁରର ସୁନା ବେପାରୀ ସାଗର ଜୈନଙ୍କ ସୁନା ବେପାର ବରଗଡ ଓ ବଲାଙ୍ଗୀର ଜିଲ୍ଲାରେ ଚାଲେ । ଗତ ଶୁକ୍ରବାର ତାଙ୍କ ମ୍ୟାନେଜର ଏକ ଅଲଟୋ କାରରେ ସୁନା ଅଳଙ୍କାର ନେଇ ରାୟପୁରକୁ ଫେରୁଥିଲେ ।

ସୋହେଲା ପାଖ ଗ୍ରୀଞ୍ଜେଲ ଠାରେ ଏକ ଜିପରେ ୪ ଜଣ ଯୁବକ ଆସି ମ୍ୟାନେଜରଙ୍କୁ ଲୁହାଛଡରେ ଆକ୍ରମଣ କରି ୮ଶହ ଗ୍ରାମ ସୁନା ଗହଣା ଓ ୨ଲକ୍ଷ ୪୦ ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି । ଲୁଟ ହୋଇଥିବା ସୁନାର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ବରଗଡ ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ।