କନକ ବ୍ୟୁରୋ : ଭୁବନେଶ୍ୱର ମଂଚେଶ୍ୱର ଥାନା ଅଧିନ ଚକେଇସିଆଣିର ଏଇ ଘର ଭିତରୁ ହୋଇଛି ଏକ ବଡ ଧରଣର ଲୁଟ । ଘର ମାଲିକ ଦେବଦତ୍ତ ସାମଲଙ୍କ ପରିବାର ଦୁଇଦିନ ପାଇଁ ଘର ଛାଡି ବାହାରକୁ ବୁଲିବାକୁ ଯାଇଥିଲେ । ଘରୁ ଯିବା ସମୟରେ ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ହାତରେ ଘରର ଚାବି ଦେଇ ଚାଲି ଯାଇଥିଲେ । ଆଉ ଫେରିବା ବେଳକୁ ଘର ଭିତରର ଚିତ୍ର ଦେଖିବା ପରେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଝିଅ ବାହାଘର ପାଇଁ ଟଙ୍କା ଓ ସୁନା ଗହଣା ସାଇତି ରଖିଥିଲେ । ଘର ଭିତରେ ପ୍ରାୟ ୩୦ ଭରିରୁ ଅଧିକ ଓଜନର ସୁନା ଗହଣା ଆଉ ଲକ୍ଷାଧିକ ନଗଦ ଟଙ୍କା ରଖିଥିଲେ । ବିଳମ୍ବିତ ରାତିରେ ଘର ଭିତରେ ପଶି କଳାକନା ବୁଲାଇ ଚମ୍ପଟ ମାରିଛନ୍ତି ଲୁଟେରା । ତେବେ ଏନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ପରେ, ସାଇଂଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି ପୁଲିସ । ହେଲେ ଲୁଟେରାଙ୍କ ପତା ମିଳିନି ।
ଅନ୍ୟପଟେ ଭିଡାଟିଆଙ୍କ ଉପରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ଘର ମାଲିକ । ଚାବି ଯେହେତୁ ତାଙ୍କ ଦାୟିତ୍ୱରେ ଥିଲା, ଚୋରୀ ହେଲା କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଭଡାରେ ଥିବା ମହିଳା ମଧ୍ୟ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । କହିଛନ୍ତି, ୬ ବର୍ଷ ହେବ ଏହି ଘରେ ରହି ଆସୁଛନ୍ତି, ତାଙ୍କ ସ୍ୱାମୀ ଫରେନସିକ୍ ବିଭାଗରେ କାର୍ଯ୍ୟରତ । ସେମାନେ ଗରିବ ସତ ହେଲେ ଚୋର ନୁହେଁ ବୋଲି କାନ୍ଦି କାନ୍ଦି କହିଛନ୍ତି ମହିଳା ଜଣକ ।
ରାଜଧାନୀ ଭୁବନେଶ୍ୱରରେ ଚୋରି, ରାହାଜାନି ବଢ଼ି ବଢ଼ି ଚାଲିଛି । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଚୋର ଓ ଡକାୟତ । ଏବେ ପ୍ରଶ୍ନ ଉଠୁଛି- କେତେ ସୁରକ୍ଷିତ ରାଜଧାନୀ?ରାତି ପାଟ୍ରୋଲିଂ କଡ଼ାକଡ଼ି ହେଉଥିବା କମିସନରେଟ୍ ପୁଲିସ କହି ଆସୁଥିବା ବେଳେ ରାତିରେ କମୁନାହିଁ ଲୁଟେରାଙ୍କ ଉତ୍ପାତ
Follow Us