କନକ ବ୍ୟୁରୋ : ଭୁବନେଶ୍ୱରର ଏସପ୍ଲାନେଡ ମଲ ଆଗକୁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗ ହୋଇଛି । ଅପହୃତ ଆନନ୍ଦପୁର ବେଲବାହାଳିର ପ୍ରିୟବ୍ରତ ସାହୁ ବୋଲି ଜଣାପଡିଛି । କାରରେ ଆସି ୪ରୁ ୫ ଜଣ ଦୁର୍ବୃତ୍ତ ପ୍ରିୟବ୍ରତଙ୍କୁ ଉଠାଇନେଇଛନ୍ତି । ପ୍ରିୟବ୍ରତ ସାଙ୍ଗଙ୍କ ସହ ଏସପ୍ଲାନେଡ ମଲ ବୁଲିବାକୁ ଆସିଥିଲେ । ଏ ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଟଙ୍କା ପାଇଁ ଏଭଳି ଅପହରଣ ହୋଇଥିବା ଜଣାପଡିଛି । ଅପହୃତ ହୋଇଥିବା ପ୍ରିୟବ୍ରତ ୨୦ ଲକ୍ଷ ଟଙ୍କା ନେଇ ଫେରାଉ ନଥିବା କାରଣରୁ ଟଙ୍କା ଦେଇଥିବା ଲୋକ ଉଠାଇ ନେଇଥିବା ସୂଚନା ରହିଛି । ପୁଲିସ ଅଧିକ ତଦନ୍ତ କରୁଛି ।
ପ୍ରିୟବ୍ରତ ଓ ତାଙ୍କ ସାଙ୍ଗ ଲୋକନାଥ ସନ୍ଧ୍ୟାରେ ଏସପ୍ଲାନେଡ୍ ମଲ୍କୁ ଆସିଥିଲେ। ରସୁଲଗଡ଼ ଶିଳ୍ପାଞ୍ଚଳକୁ ଆସିଥିବା ମଲ୍ କଡ଼ ରାସ୍ତାରେ ପ୍ରିୟବ୍ରତ ଜଣେ ମହିଳାଙ୍କ ସାଙ୍ଗରେ କଥା ହେଉଥିବା ବେଳେ ତାଙ୍କ ସାଙ୍ଗ ଲୋକନାଥ ଛିଡ଼ା ମୋବାଇଲ ଫୋନରେ ଗପୁଥିଲେ। ସେହି ସମୟରେ ଏକ ଧଳା ରଙ୍ଗର କାର୍ ଦ୍ରୁତ ଗତିରେ ଆସି ପ୍ରିୟବ୍ରତଙ୍କ ପାଖରେ ଲାଗିଥିଲା। ତିନି ଜଣ ଯୁବକ ଓହ୍ଲାଇ ତାଙ୍କୁ ମାଡ଼ି ବସି କାରରେ ପୂରାଇ ଦେଇଥିଲେ। ଦ୍ରୁତ ଗତିରେ ମୁଖ୍ୟ ରାସ୍ତା ଆଡ଼କୁ ପଳାଇଥିଲେ। ପଛ ପଟୁ ଏକ କଳା ରଙ୍ଗର ପଲସର୍ ବାଇକରେ ଦୁଇ ଜଣ ଦୁର୍ବୃତ୍ତ କାରକୁ ସୁରକ୍ଷା ଦେବା ଭଳି ଦ୍ରୁତ ଗତିରେ ଯାଇଥିଲେ। ଲୋକନାଥ କିଛି ବାଟ ପିଛା କରିଥିଲେ ମଧ୍ୟ ସେମାନଙ୍କ ଟେର୍ ପାଇ ନ ଥିଲେ ବୋଲି ପୁଲିସ ଆଗରେ କହିଛନ୍ତି। ସନ୍ଧ୍ୟା ସମୟରେ ରାଜଧାନୀରେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପୁଲିସର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ପ୍ରିୟବ୍ରତ ଚାକିରି କରାଇ ଦେବା ପାଇଁ କେଶବ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଚାକିରି ଦେଇ ନ ଥିଲେ କିମ୍ବା ଟଙ୍କା ଫେରସ୍ତ କରି ନ ଥିଲେ। ଏ ନେଇ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନାରେ ଘଟଣାର ଆପୋସ ସମାଧାନ ହୋଇଥିଲା । ପ୍ରିୟବ୍ରତ ଟଙ୍କା ଫେରାଇ ଦେବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଟଙ୍କା ନ ଫେରାଇବାରୁ ଏହି ଅପହରଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କେଶବ ଗାଡ଼କଣର ଏକ ଆପାର୍ଟମେଣ୍ଟରେ ରୁହନ୍ତି। ସେ ତାଙ୍କ ସହଯୋଗୀଙ୍କ ସହ ମିଶି ଏହି ଅପହରଣ ଘଟାଇଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି ।
Follow Us