ଭୁବନେଶ୍ୱରରେ କାର ଉପରେ ପଡିଲା ପେଟ୍ରୋଲ ବମ୍ । କିଏ ଓ କାହିଁକି ପକାଇଛି ଏଯାଏଁ ହୋଇନି ସ୍ପଷ୍ଟ ।

159

କନକ ବ୍ୟୁରୋ : ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ୍ କଲୋନୀରେ କାର ଉପରକୁ ପେଟ୍ରୋଲ ବମ୍ ଫିଙ୍ଗିଲେ ଦୁର୍ବୃତ । ବୋତଲରେ ପେଟ୍ରୋଲ ପୂରାଇ ନିଆଁ ଲଗାଇ ଦୁର୍ବୃତ କାରକୁ ଫିଙ୍ଗିଛନ୍ତି । ଗାଡିର କିଛି ଅଂଶ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ପେଟ୍ରୋଲ ବୋମା ପକାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଦିନ ଦ୍ୱିପ୍ରହରରେ କାର ଉପରକୁ ଏଭଳି ପେଟ୍ରୋଲ ବମ ପକାଇ ନଷ୍ଟ କରିବା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ବ୍ୟକ୍ତିଗତ ଶତ୍ରୁତା କାରଣରୁ କେହି ଏପରି କରିଥାଇପାରେ ବୋଲି କୁହାଯାଉଛି । କିନ୍ତୁ ଦିନ ଦ୍ୱିପ୍ରହରରେ ରାଜଧାନୀ ଛାତି ଉପରେ ଏଭଳି ଆତଙ୍କ ଖେଳାଇବାକୁ କିଭଳି ଦୁବୃର୍ତ୍ତ ସାହସ ପାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଛିଡା ହୋଇଛି । ଯଦି ପେଟ୍ରୋଲ ବମ କାର ବଦଳରେ ଅନ୍ୟ କାହା ଉପରେ ପଡିଥାନ୍ତା ତେବେ ସ୍ଥିତି କଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।