ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ଗତକାଲି କେନ୍ଦୁଝର ଟାଉନ ଥାନା କାଶୀପୁରରେ ଗାଡ଼ି ଅଟକାଇ ହୋଇଥିଲା ଆକ୍ରମଣ

167

କନକ ବ୍ୟୁରୋ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ସଂଜୟ ମହାନ୍ତିଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଗତକାଲି କେନ୍ଦୁଝର ଟାଉନ ଥାନା ଅଂଚଳର କାଶିପୁରରେ ପିସିସି ସଭାପତି ଯାଉଥିବା ଗାଡ଼ିକୁ ଅଟକାଇଥିଲେ କିଛି ଦୁର୍ବୃତ୍ତ । ଏହାପରେ ଦୃର୍ବୃତ୍ତମାନେ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗାଡ଼ିରେ ଆସୁଥିବା ବେଳେ କିଛି ଯୁବକ ଓଭରଟେକ୍ କରି ଅଚାନକ୍ ତାଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲେ । ପିଏସଓ ଯାଇ ଯେତେବେଳେ ପଚାରିଥିଲେ କ’ଣ ପାଇଁ ଅଟକାଇଥିଲେ, ଗାଡ଼ିକୁ ଦୃର୍ବୃତ୍ତମାନେ ବାଡେଇଥିଲେ । ଆଉ ଏହି ସମୟରେ ଏକ ଆମ୍ବୁଲାନ୍ସ ଯାଉଥିବାର ସୁଯୋଗ ନେଇ ସେମାନେ, ସେଇ ଆଢ଼ୁଆଳରେ ଖସିଯାଇଥିଲେ ।

ତେବେ ଘଟଣାକୁ ନେଇ ଚିନ୍ତା ପ୍ରକାଟ କରିଛନ୍ତି ପିସିସି ସଭାପତି । ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ଯୁବ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । କଂଗ୍ରେସକର୍ମୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଝାସୁଝା କରିବା ପରେ ପ୍ରତିବାଦରୁ ଓହରିଯାଇଥିଲେ ।