କନକ ବ୍ୟୁରୋ : ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଭଦ୍ରକରୁ କୋଲକାତା ଯାଉଥିବା ବସରେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ତାର ବଡ଼ ବାପା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ଯାଜପୁର ଦଶରଥପୁର ଅଞ୍ଚଳର ଏହି ଘଟଣା ଆଲୋଡନ ସୃଷ୍ଟି କରିଛି ।

ଅଭିଯୋଗ ଅନୁସାରେ, ମା ଅସୁସ୍ଥ ଥିବା କହି ନାବାଳିକା ଝିଅକୁ ସାଙ୍ଗରେ ମେଡିକାଲ ନେବା ବାହାନାରେ ଦୁଷ୍କର୍ମ କରିଛି ବଡ଼ ବାପା । ଭଦ୍ରକରୁ କୋଲକାତା ଯାଉଥିବା ଏକ ସ୍ଲିପର ବସରେ ଏଭଳି କାଣ୍ଡ ଘଟିଛି । ସୂଚନା ମୁତବାକ ଗତ ୧୯ ତାରିଖରେ ନାବାଳିକାଙ୍କ ମା ଅସୁସ୍ଥ ଥିବା କହି ତାଙ୍କୁ ଭଦ୍ରକ ମେଡିକାଲ ଯିବାକୁ କହିଥିଲେ । ଉଭୟ ଏକ ବାଇକରେ ଘରୁ ବାହାରି ଆସିଥିଲେ । ଭଦ୍ରକରେ ଏକ ପେଟ୍ରୋଲ ପମ୍ପରେ ବାଇକ ରଖି ସ୍ଲିପର ବସରେ କୋଲକାତା ଯାଇଥିଲେ । ଏହି ସମୟରେ ନାବାଳିକାଙ୍କୁ ସ୍ଲିପର ସିଟରେ ଦୁଷ୍କର୍ମ କରିଥିଲେ ବଡ଼ ବାପା । ଏସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ କୋଲକାତାରୁ ପୁଣି ବସରେ ଭଦ୍ରକ ଆସିଥିଲେ । ଭୋର ସମୟରେ ଭଦ୍ରକରୁ ନାବାଳିକାଙ୍କୁ ନେଇ ଗାଁକୁ ଯିବା ବାଟରେ ଛାଡି ପଳାଇଥିଲେ ବଡ଼ବାପା । ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏନେଇ ପରିବାର ଲୋକେ ଦଶରଥପୁର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।