ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସାଂଘାତିକ ଅଭିଯୋଗ । ଭଉଣୀ କହିଲେ, ରାସ୍ତାରୁ ଉଠାଇ ନେଇ କରାଯାଇଛି ଦୁଷ୍କର୍ମ

697

କନକ ବ୍ୟୁରୋ : ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରଠାରେ ଥିବା ଓୟୋ ରୁମରେ ଯୁବତୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରାଯାଇଥିବା ତାଙ୍କ ଭଉଣୀ କହିଛନ୍ତି । ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁକୁ ନେଇ ଭାଙ୍ଗି ପଡ଼ିଛି ପୂରା ପରିବାର । ବ୍ରହ୍ମପୁର ଉପକଣ୍ଠ ଏକ ଓୟୋ ରୁମରୁ ମିଳିଥିଲା ତାଙ୍କ ମୃତଦେହ । ମୃତ ଯୁବତୀ ଜଣକ ପୁରୀ ଜିଲ୍ଲାର । ପୁରୀର ଏକ ଜନ୍ମଦିନ ଭୋଜିରେ ଯୋଗ ଦେବାକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇ ସେ ଘରୁ ବାହାରି ଯାଇଥିଲେ ।

ସଂଧ୍ୟାରେ ଜଣେ ଯୁବକଙ୍କ ସହ ଉକ୍ତ ଓୟୋ ହୋଟେଲରେ ଆସି ରହିଥିଲେ । ଶୁକ୍ରବାର ରାତି ୯ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ପରେ ସାଥିରେ ଥିବା ଯୁବକ ଜଣକ ମଧ୍ୟରାତ୍ରରେ ଯୁବତୀ ଜଣକ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଫୋନ କରି କହିଥିଲେ । ତେବେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତର ଯୁବତୀଙ୍କୁ ମୃତ ଘୋଷଣା କରିଛନ୍ତି । ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ଗୋଳନ୍ଥରା ଥାନା ପୋଲିସ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଟକ ଯୁବକ ଜଣକ ରାୟଗଡା ଜିଲ୍ଲାର ମୁଳବାସିନ୍ଦା ହୋଇଥିଲେ ହେଁ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳରେ ରହନ୍ତି । ଉଭୟ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫେସବୁକ୍ ମାଧ୍ୟମରେ ଗତ ଏକ ବର୍ଷ ହେଲା ସଂପର୍କ ଗଢି ଉଠିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।