ଆମ ସରକାର ଆସିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ବିଜେପି ନେତା ଜେଲରେ ଭର୍ତ୍ତି ହେବେ। ଜାଣନ୍ତୁ କିଏ କହିଲେ ଏମିତି କଥା?

4,971

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଆରଜେଡି ନେତ୍ରୀ ତଥା ଲାଲୁଙ୍କ ଝିଅ ମିସା ଭାରତୀ । ମିସା କହିଛନ୍ତି, ଯଦି ଚଳିତ ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଜନତା କ୍ଷମତାକୁ ଆଣନ୍ତି ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ବିଜେପି ନେତା ଜେଲକୁ ଯିବେ ।

ମିସା କହିଛନ୍ତି, ଇଣ୍ଡିଆ ମେଣ୍ଟ ୩୦ ଲକ୍ଷ ରୋଜଗାର ଦେଉଛି, ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ କହୁଛି, ଏମଏସପି ବୃଦ୍ଧି କରିବାକୁ ସ୍ୱର ଉଠାଉଛି ତାହା କଣ ତୁଷ୍ଟିକରଣ ବୋଲି ପ୍ରଶ୍ନ କରିଛନ୍ତି । ନିର୍ବାଚନୀ ବଣ୍ଡ ବାବଦରେ କିଏ ଜବାବ ଦେବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁ କାହିଁକି ଚୁପ୍? ଯେତେବେଳେ ପ୍ରଧାନମନ୍ତ୍ରୀ ଆସନ୍ତି ଆମ ପରିବାର ଉପରେ ଦୁର୍ନୀତିର ଅଭିଯୋଗ ଆଣନ୍ତି । କିନ୍ତୁ କିଏ ବଡ ଭଷ୍ଟ୍ରାଚାରୀ ତାହା ଦେଶବାସୀ ଜାଣିଲେଣି । ଯଦି ଦେଶର ଲୋକ ଇଣ୍ଡିଆ ମେଣ୍ଟକୁ ସରକାରକୁ ଆଣନ୍ତି ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ବିଜେପି ନେତା ଜେଲରେ ଭର୍ତ୍ତି ହେବେ ।

ମିସା ଭାରତୀଙ୍କୁ ଆରଜେଡି ଚଳିତଥର ପାଟଳିପୁତ୍ର ଆସନରୁ ପ୍ରାର୍ଥୀ କରିଛି । ବିଜେପି ପ୍ରାର୍ଥୀ ରାମକୃପାଳ ଯାଦବଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ମିସା ।